ମଧ୍ୟରାତ୍ରୀରେ ଡକାୟତି ଯୋଜନା ପଣ୍ଡ: ଧରାପଡ଼ିଲେ ୫ ଲୁଟେରା, ଖସିଗଲେ ୨

ପୁରୀ: ବାଲିଆପଣ୍ଡା ଥାନା ପୁଲିସ ମଧ୍ୟରାତ୍ରୀରେ ପୁଲିସ୍‌ ପେଟ୍ରୋଲିଂ କରୁଥିବା ‌ବେଳେ ୫ ଜଣ ଡକାୟତ ଧରାପଡ଼ିଛନ୍ତି। କିନ୍ତୁ ୨ ଜଣ ଡକାୟତ ପୁଲିସ୍‌ ମୁହଁରୁ ଖସି ପଳାୟନ କରିବାରେ ସଫଳ ହୋଇଛନ୍ତି। ପୁଲିସ ହାତରେ ଧରାପଡ଼ିଥିବା ଡକାୟତମାନେ ହେଲେ ପୁରୀ ଜିଲ୍ଲା ତାଳବଣୀ ଥାନା ଟିକରାପଡ଼ା ମହାନ୍ତିପଡ଼ା ଗାଁର ମଧୁସୂଦନ ଦାସଙ୍କ ପୁଅ ସୁମନ କୁମାର ଦାସ (୨୬), ମାଟିଆପଡ଼ାର ପୀତବାସ ନାୟକଙ୍କ ପୁଅ ସ୍ବାଭିମାନ ନାୟକ (୨୬), ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପସାହି ଖଟୁଆ ଲେନ୍‌ର ସୁଶୀଲ ନାୟକଙ୍କ ପୁଅ ସନ୍ତୋଷ ନାୟକ (୪୪), ବାଲିଆପଣ୍ଡା ଥାନା ଅନ୍ତର୍ଗତ ବାଙ୍ଗା ଲେନ୍‌ ବିଧାବାଶ୍ରମ ଛକ ଗ୍ରାମ୍ୟ ବ୍ୟାଙ୍କ କାଲୁ ଗୋଲଦାରଙ୍କ ପୁଅ ଶଙ୍କର ଗୋଲଦାର ଓରଫ ଶଙ୍କୁ (୩୨) ଓ ଶାନ୍ତି ଗେଷ୍ଟ ହାଉସ୍‌ ଲେନ୍‌ ଅନ୍ତର୍ଗତ ବାଲିଆପଣ୍ଡା ବସ୍ତିର ସ୍ବର୍ଗତ ରାହୁନାଥ ନାୟକଙ୍କ ପୁଅ ଶଙ୍କର ନାୟକ (୫୨) । ପୁଲିସର ଅତର୍କିତ ଚଢ଼ଉ ସମୟରେ ୨ ଜଣ ଅଭିଯୁକ୍ତ ଖସି ପଳାଇଥିଲେ। ପୁଲିସ ଉପରୋକ୍ତ ଡକାୟତ ମାନଙ୍କ ଠାରୁ ଗୋଟିଏ ଖଣ୍ଡ, ଗୋଟିଏ ଲୁହା ଛଡ଼, ଗୋଟିଏ ଛୁରି ଜବତ କରିଛି। ଡାକୟତି ଘଟଣାରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ମଙ୍ଗଳବାର-ବୁଧବାର ରାତିରେ ବାଲିଆପଣ୍ଡା ପୁଲିସ ଏଏସ୍‌ଆଇ ଆରକେ ପ୍ରଧାନ ସାଥୀ କର୍ମଚାରୀଙ୍କ ସହିତ ପେଟ୍ରୋଲିଂରେ ଥିଲେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳଥିଲା ଯେ, ପାଖାପାଖି ୬ରୁ ୭ ଜଣ ଡକାୟତ ନୂଆ ବାଇପାସ୍‌ରୋଡ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଛନ୍ତି। ଏହି ସୂଚନା ମିଳିବା ପରେ ପୁଲିସ ଅନନ୍ୟା ଆପାର୍ଟମେଣ୍ଟ ନିକଟରେ ଯୋଜନା କରୁଥିବା ଡକାୟତ ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର