ମାଣ୍ଡିଆ ମଣ୍ଡିରେ ବି ଦଲାଲଗିରି: ୫୫୦ କ୍ବିଣ୍ଟାଲ ମାଣ୍ଡିଆ ଜବତ କଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ଠାରେ ଅନୁଷ୍ଠିତ ହେଉଥିବା ମାଣ୍ଡିଆ ମଣ୍ଡିରେ ଦଲାଲଗିରି ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଚଢାଉ କରି ୫୫୦ କ୍ବିଣ୍ଟାଲ ମାଣ୍ଡିଆ ଜବତ କରିଥିବା ଜଣାପଡିଛି। ପ୍ରତି ଶନିବାର ଖଇରପୁଟ ଠାରେ ମାଣ୍ଡିଆ ମଣ୍ଡି ଚାଲେ।ଏଠାରେ ଏହି ଅଂଚଳର ମାଣ୍ଡିଆ ଚାଷୀମାନଙ୍କ ଠାରୁ ଟିଡିସିସି ମାଣ୍ଡିଆ ଖରିଦ କରିଥାଏ।ସ୍ଥାନୀୟ ବଣ୍ଡା ଲ୍ୟାମ୍ପସ୍ ଏଥିରେ ସହଯୋଗ କରିଥାଏ।ତେବେ ମାଣ୍ଡିଆ ମଣ୍ଡିରେ ମଧ୍ୟ ଦଲାଲଗିରି ଚାଲୁଥିବା ନେଇ ଜିଲ୍ଲାପାଳ ଵାଇ.ବିଜୟ ଖବର ପାଇବା ପରେ ଖଇରପୁଟ ବିଡିଓ ଓ ତହସିଲଦାରଙ୍କୁ ତୁରନ୍ତ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପାଇବା ପରେ ବିଡିଓ ହୃଦାନନ୍ଦ ସାହୁ ଏବଂ ତହସିଲଦାର ରାମ ଚନ୍ଦ୍ର ନାୟକ ମାଣ୍ଡିଆ ମଣ୍ଡିରେ ଚଢାଉ କରିଥିଲେ। ଚଢାଉ ବେଳେ ମଣ୍ଡିରେ ୫୫୦ କ୍ବିଣ୍ଟାଲ ବେଆଇନ ଭାବେ ମାଣ୍ଡିଆ ଗଚ୍ଛିତ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ଏହି ମାଣ୍ଡିଆ କାହାର ବୋଲି ପଚରାଯାଉଥିଲେ ମଧ୍ୟ କେହି କିଛି କହିନଥିଲେ।ଏନେଇ ଲ୍ୟାମ୍ପସର ଏମଡିଙ୍କୁ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଜେରା କରିଥିଲେ ମଧ୍ୟ ସେ ନେଇ କିଛି ଜାଣିନଥିବା କହିଥିଲେ। ଅନ୍ୟଦିଗରେ ମାଣ୍ଡିଆ ଖରିଦ କରୁଥିବା ଟିଡିସିସିର ଅଧିକାରୀମାନଙ୍କୁ ତଦନ୍ତକାରୀ ଅଧିକାରୀମାନେ ପଚାରିବାରୁ ସେମାନେ ନିଜର ଫୋନକୁ ବନ୍ଦ କରିଦେଇଥିଲେ।

ତେବେ କିପରି ଚାଷୀର ମାଣ୍ଡିଆ ମଣ୍ଡିରେ ବିକ୍ରି ହୋଇପାରୁନଥିବା ବେଳେ ଦଲାଲମାନଙ୍କ ମାଣ୍ଡିଆ ମଣ୍ଡିରେ ଗଦା ହୋଇ ବିକ୍ରି ହୋଇଯାଉଛି ତାହା ଏବେ ତଦନ୍ତ ସାପେକ୍ଷ। ଏତେ ପରିମାଣର ମାଣ୍ଡିଆ କାହାର ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କିପରି ଦଲାଲ ଏବଂ ଅଧିକାରୀମାନେ ମିଳିତ ଭାବେ ସରକାରଙ୍କୁ ଠକୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ଏହି ମଣ୍ଡିରେ ଦେଖିବାକୁ ମିଳିଛି। ତେବେ ତଦନ୍ତକାରୀ ଅଧିକାରୀମାନେ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା କହିଥିଲେ।ଧାନ ମଣ୍ଡିରେ ଦଲାଲଗିରିକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଥମିନଥିବା ବେଳେ ମାଣ୍ଡିଆ ମଣ୍ଡିରେ ମଧ୍ୟ ଦଲାଲଗିରିକୁ ଚାଷୀ ହଜମ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର