ବର୍ଷକ ଭିତରେ କୂଆଖାଇ ନେଲାଣି ୭ ମୁଣ୍ଡ, ଗଣ୍ଡ ନିକଟରେ ଲାଗୁନି ସତର୍କ ଫଳକ

ଭୁବନେଶ୍ବର: ବେଆଇନ ବାଲିଖନନ ଯୋଗୁ କିଛି ବର୍ଷ ହେଲା କୁଆଖାଇ ନଦୀରେ ସୃଷ୍ଟି ହୋଇଥିବା ଗଭୀର ଗଣ୍ଡ ଏବେ ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। ଗଭୀର ଗଣ୍ଡରେ ବୁଡ଼ି ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନଦୀକୁ ସ୍ନାନ ସୌଚ ହେବାକୁ ଆସୁଥିବା ଲୋକମାନଙ୍କ ପାଇଁ କୁଆଖାଇ ବିପଦ ସୃଷ୍ଟି କରିଛି। ଭାକ୍ୟୁମ ମେସିନ ଦ୍ବାରା ନଦୀରୁ ବାଲି ଉଠାଣ ହେଉଥିବାରୁ ଗଭୀର ଗଣ୍ଡ ସୃଷ୍ଟି ହେଉଥିବା କୁହାଯାଉଛି। ତେଣୁ ଭାକ୍ୟୁମ ମେସିନ ଦ୍ବାରା ବାଲି ତଡ଼ା ବନ୍ଦ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ଗତ ବର୍ଷକ ମଧ୍ୟରେ କୁଆଖାଇରେ ଗାଧୋଇବାକୁ ଆସି ୭ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଧିବର ଅଛନ୍ତି। ସେହିପରି ଗତ ଶନିବାର ଦିନ ହୋଲି ଅବସରରେ ମଧ୍ୟାହ୍ନରେ ଅନ୍ୟ ୩ଜଣ ସାଙ୍ଗଙ୍କ ସହ କୁଆଖାଇରେ ଗାଧୋଇବାକୁ ଆସି ଜଣେ ନାବାଳକର ସଲିଳ ସମାଧି ଘଟିଛି। ମୃତ ନାବାଳକ ହେଲେ ଆଲୋକ ଜେନା ଓରଫ ରାଜା। ଆଲୋକ ତାଙ୍କର ମାମୁଘର ବରଗଡ଼ ଥାନା ଅଧୀନ ମଇଁଷିଖାଲ ଅଞ୍ଚଳରେ ରହି ପାଠ ପଢ଼ିଥିଲେ।

ସୂଚନା ଅନୁସାରେ ତାଙ୍କ ନିଜଘର ବାଲେଶ୍ବର ଏବଂ ବାପାଙ୍କ ନାମ ଟିକିନା ଜେନା। ହୋଲି ଖେଳିସାରି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଗତ ଶନିବାର ଅପରାହ୍ନରେ ନିଖୋଜ ହୋଇଯାଇଥିଲେ। ଆଲୋକ ପାଣିରେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ଚିତ୍କାର କରିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏନେଇ ସାଙ୍ଗମାନେ ପୁଲିସ କଣ୍ଟୋଲ ରୁମକୁ ଫୋନକରି ଜଣାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ହେଁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଆଜି ସକାଳେ ଆଲୋକଙ୍କ ମୃତଦେହ ଟଙ୍କପାଣି ବ୍ରିଜ ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଏବଂ ପୁଲିସକୁ ଫୋନ କରି ଜଣାଇଥିଲେ। ଖବର ପାଇ ଉଭୟ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ପୁଲିସ ଏବଂ ସହୀଦନଗର ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ହେଲେ ଘଟଣା ସହୀଦନଗର ଥାନା ସୀମାନ୍ତରେ ଘଟିଥିବାରୁ ଉକ୍ତ ଥାନା ପୁଲିସକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଅନୁରୂପ ଭାବେ ଗତବର୍ଷ ସେପ୍ଟେମ୍ବର ମାସ ସତ୍ୟଭାମାପୁର ପଞ୍ଚାୟତ ଅଧୀନ କଣ୍ଟାଗୋଠ ନିକଟରୁ କୁଆଖାଇ ନଦୀରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ମଧ୍ୟରେ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ୨୦୨୧ ମସିହା ମାର୍ଚ୍ଚ ମାସ ୧୨ ତାରିଖ ମଧ୍ୟାହ୍ନରେ କୁଆଖାଇକୁ ଗାଧୋଇ ଆସିଥିବା ଦୁଇଜଣ ନାବାଳିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଥିଲା। ଏହାର ଦୁଇଦିନ ପରେ ବାପ ଆଗରେ ନାବାଳକ ପୁଅ ଭାସି ଯାଇ ମୃତ୍ୟୁ ହୋଇଯାଇଥିଲା ସେହିପରି ୨୦୨୦ ମସିହା ପହିଲି ରଜ ଦିନକ ପୂର୍ବରୁ ବିଳମ୍ବିତ ରାତିରେ ବାଲିପାଟଣା ଥାନା ଅଧୀନ ଚିତ୍ତଳପୁର ଗ୍ରାମର ଜଣେ ମତ୍ସ୍ୟଜୀବୀ ଦୁଇ ପିଲାଙ୍କ ସହ ମାଛ ଧରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାର ମାସକ ପରେ ଜଣେ ଶ୍ରମଜୀବୀ ମହିଳା ଭାସି ଯାଇଥିଲେ।

ମୋଟ ଉପରେ କହିବାକୁ ଗଲେ କୁଆଖାଇ ନଦୀ ଏବେ ଡେଥଜୋନ ପାଲଟିଛି। ହେଲେ ସ୍ଥାନୀୟ ତହସିଲ ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ବାଲି ଖନନ ବନ୍ଦ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଆଉ କେତେ ଜଣକ ମୁଣ୍ଡ ଗଡ଼ିବା ପରେ ପ୍ରଶାସନ ଚେତିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଗୋଟିଏ ବଡ଼ କଥା ନଦୀପଠା ତଡ଼ା ହେବା ଯୋଗୁ ପ୍ରଳୟଙ୍କରୀ ବନ୍ୟା ସମୟରେ ଉପକୂଳବର୍ତ୍ତୀ ଗାଁ ଗଣ୍ଡା ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି। କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଅନ୍ୟ ଗୋଟିଏ ବଡ଼ କଥା ହେଉଛି ଗଣ୍ଡସ୍ଥାନରେ ତହସିଲ ପ୍ରଶାସନ ପକ୍ଷରୁ ସତର୍କ ଫଳକ ଲଗାଯାଉ ନାହିଁ। ଯାହାଫଳରେ ନଦୀକୁ ସ୍ନାନ ସୌଚ ବେଳେ ଲୋକଙ୍କ ଜୀବନ ବାଜି ଲାଗୁଛି।

ସମ୍ବନ୍ଧିତ ଖବର