ବାହାଭୋଜି ନାଁରେ ଗାଡ଼ିଭଡ଼ା କରି ଡକାୟତି ଯୋଜନା ଘଟଣା: ୮ ଅଭିଯୁକ୍ତ କୋର୍ଟ ଚାଲାଣ

ସ୍କାନରରେ ପିକ୍‌ଅପ୍ ଭ୍ୟାନ୍‌ ଓ ସାଥୀ

ହରଭଙ୍ଗା : ଭଡ଼ାଗାଡି ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରବିବାର ଏକ ଅନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି। ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ସୋମବାର ପୁରୁଣାକଟକ ପୁଲିସ୍‌ ଡକାୟତି ଯୋଜନାରେ ସାମିଲ୍‌ ଥିବା ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲ୍ୟାଣସାହିର ଶଙ୍କର ସାହୁ (୨୫), ଭାଡ଼ିକିଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣା (୨୫) ଓ ପ୍ରତାପ ମହାରଣା (୨୧), କୁଶାଢ଼ିପି ଗ୍ରାମର ମହେଶ୍ବର ବେହେରା (୨୩), ବାଉଁଶଗାଡିଆ ଗ୍ରାମର ଶରତ ମହାରଣା (୨୪), ପୋଡ଼ାପିଠା ଗ୍ରାମର ସୁରେଶ ଲେଙ୍କା (୫୫), ଟିକିରିପଡ଼ା ଗ୍ରାମର ସଂଗ୍ରାମ ମହାନ୍ତି(୪୨), ସରୋଡ଼ା ଗ୍ରାମର ଯୁଧିଷ୍ଠିର ମହାରଣା (୩୨)। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଡକାୟତି ଯୋଜନାରେ ସାମିଲ୍‌ ହେବାପାଇଁ ଅନ୍ୟଏକ ପିକ୍‌ଅପ୍‌ ଭ୍ୟାନ୍‌ ଓ ଗ୍ୟାଙ୍ଗ୍‌ର ଅନ୍ୟସାଥୀ ମାନେ ଆସିଥିଲେ। ପୁଲିସ ସ୍କାନ୍‌ରରେ ବର୍ତ୍ତମାନ ଉକ୍ତ ପିକ୍‌ଅପ୍‌ ଓ ସାଥୀମାନେ ଅଛନ୍ତି।

ପ୍ରକାଶ ଥାଉ କି, ବଲାଙ୍ଗୀରକୁ ବିବାହ ଭୋଜି ଖାଇବାକୁ କହି ନୟାଗଡ଼ ଜିଲ୍ଲାର ଏକ ଡକାୟିତ ଗ୍ୟାଙ୍ଗ୍‌ ଭୁବନେଶ୍ୱର ସ୍ଥିତ ଏକ ଟ୍ରାଭେଲ୍‌ ଏଜେନ୍ସିରୁ ଗୋଟିଏ ଇନୋଭା କାର ଭଡ଼ାକରି ଆସିଥିଲେ। ମାତ୍ର ବାଟରେ ଆଉଏକ ପିକ୍‌ଅପ୍ ଭ୍ୟାନ୍‌ରେ ପ୍ରାୟ ୧୮ରୁ ଊର୍ଦ୍ଧ୍ବ ସଦସ୍ୟ ବିଭିନ୍ନ ମାରଣାସ୍ତ୍ର ସହିତ ଆଗପଛ ହୋଇ ବଲାଙ୍ଗୀର ଯିବା ବଦଳରେ ଅନ୍ୟଏକ ଜଙ୍ଗଲିଆ ସ୍ଥାନରେ ଅଟକି ପରସ୍ପର ଆଲୋଚନା କରିଥିଲେ। ତେଣୁ ଟ୍ରାଭେଲ୍‌ ଏଜେନ୍ସି ଡ୍ରାଇଭର ଜଣକ ଅଘଟଣ ଆଶଙ୍କା କରି ନିଜ ଭାଇଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରାଭେଲ ମାଲିକ ସୂଚନା ପାଇଥିଲେ। ଗାଡ଼ି ମାଲିକ ଗାଡ଼ିରେ ଲାଗିଥିବା ଜିପିଏସ ଟ୍ରାକିଙ୍ଗ୍‌ କରି ଇନୋଭା କାରଟି ବୌଦ୍ଧରେ ଥିବା ଜାଣିପାରି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁରୁଣା କଟକରୁ ଚାରିଛକ ଆଡ଼କୁ ଯାଉଥିବା ବେଳେ ପୂର୍ବରୁ ଖବର ପାଇ ଫରେଷ୍ଟ ଚେକ୍‌ଗେଟ୍‌ ନିକଟରେ ପୁରୁଣାକଟକ ଥାନା ଅଧିକାରୀ ଓ କର୍ମଚାରୀ ବ୍ୟାରିକେଟ୍‌ ଲଗାଇ ନାକାବନ୍ଦୀ କରିଥିଲେ। ଏହା ଦେଖି ଡକାୟତ ଦଳ ଗାଡ଼ି ବୁଲାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ପଛପଟୁ ଆସୁଥିବା ପିସିଆର ଭ୍ୟାନ୍‌ରେ ଥିବା ପୁଲିସ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରେ ଥିବା ବନ୍ଧୁକ ଓ ଭୁଜାଲି ଆଦି ମାରଣାସ୍ତ୍ର ଜବତ କରି ପୁରୁଣାକଟକ ଥାନାକୁ ନେଇଥିଲେ। ଖୋଦ୍‌ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି ରଘୁନାଥ ରାଓ ଏବଂ ଏସ୍‌ଡିପିଓ ସାଲେଷ୍ଟିନ ଟିଗା, ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଉପସ୍ଥିତ ରହି ପଚରାଉଚରା ଜାରି ରଖିଥିଲେ।

ସମ୍ବନ୍ଧିତ ଖବର