ଜିମ୍‌ରେ ପଶି ଆତଙ୍କ, ପୁଲିସ ଟିମ୍‌କୁ ଆକ୍ରମଣ ଘଟଣା: ୮ ଗିରଫ, ଖଣ୍ଡା ଓ ଲୁହାଛଡ଼ ଜବତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସାହାଣି ସାହିର ଦୁଇଜଣ ଯୁବକଙ୍କୁ ଗତ ୬ ତାରିଖ ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବସଷ୍ଟାଣ୍ଡ୍‌ ନିକଟରେ ଥିବା ଏକ ଜିମ୍‌ର ମାଲିକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଘଟଣା ରାତିରେ ସାହିର କିଛି ଯୁବକ ମାରଣାସ୍ତ୍ର ସହ ଆସି ଆତଙ୍କ ଖେଳାଇଥିଲେ। ଜିମ୍ ଭିତ‌ରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ହିଂସା ଘଟାଇ ମାଲିକଙ୍କୁ ଗାଳିଗୁଲଜ କରିଥିଲେ। କେବଳ ଏତିକି ନୁହେଁ, ପୁଲିସ ଟିମ୍ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ମିଲନ୍ ସାହୁ ନାମକ ଜଣେ ନିରୀହ ଯୁବକ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ।  ଏନେଇ କେସ୍ ନମ୍ବର ୩୮୧ ଅନୁସାରେ ମାମଲା ରୁଜୁ ସହ ୬ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ, ସାହାଣି ସାହିର ରାଜା ଦାସ, ଚନ୍ଦନ ଦାସ, ଚିତ୍ରସେନ ଦାସ, ରବି ଦାସ, ଶିବ ଦାସ, ଅନନ୍ତ ଦାସ, ରିତୁ ଦାସ ଏବଂ ଶଙ୍କର ଦାସ। ସେମାନଙ୍କଠୁ ୨ଟି ଖଣ୍ଡା ଓ ୨ଟି ଲୁହାଛଡ଼ ଜବତ ହୋଇଛି। ଏହି ଘଟଣାରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା।
ଅନ୍ୟପକ୍ଷରେ ତଦନ୍ତରୁ ଜଣାପଡ଼ିଛି, ଦିଗପହଣ୍ଡି ପିଏଚ୍‌ଡି ରୋଡ୍ ସତ୍ୟନଗରରେ ରହୁଥିବା ରାଜୁ ପାତ୍ର ଦିଗପହଣ୍ଡି ମୁଖ୍ୟରାସ୍ତାରେ ନିଜସ୍ବ ଏକ ଜିମ୍ ଖୋଲିଛନ୍ତି। ସେଠାରେ କିଛି ଯୁବକଙ୍କୁ ନେଇ ନିଜର ଏକ ଗୋଷ୍ଠୀ ଗଠନ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ସାହାଣି ସାହିର ନିର୍ଦ୍ଦିଷ୍ଟ ଏକ ଅପରାଧୀ ଗୋଷ୍ଠୀ ସହ ରାଜୁ ଓ ତାଙ୍କ ସମର୍ଥକଙ୍କ ବାଦବିବାଦ ଲାଗି ରହିଛି। ଗତ ରବିବାର ଅପରାହ୍‌ଣରେ ସାହାଣି ସାହିର ସୀମା ଦାସ, ଶିବ ଦାସ ଏବଂ ଦିଲ୍ଲୀ ଦାସ ଦୁଇଟି ବାଇକ୍‌ରେ ପାଟପୁର ପଟୁ ଦିଗପହଣ୍ଡି ଫେରୁଥିବା ସମୟରେ ହଠାତ୍ ପ୍ରାୟ ୨୫ ଜଣ ଯୁବକ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଜିମ୍ ମାଲିକ ରାଜୁଙ୍କର ହିଁ ସଂପୃକ୍ତି ଥିବା ସନ୍ଦେହ କରି ସାହାଣି ସାହିର ଯୁବକମାନେ ତାଙ୍କ ଜିମ୍ ଭିତରେ ପଶି ହିଂସାକାଣ୍ଡ ଘଟାଇଥିଲେ।
ସମ୍ବନ୍ଧିତ ଖବର