କୁକୁଡ଼ା ଖେଳ ଚାଲିଥିବାବେଳେ ମାଡିବସିଲା ପୁଲିସ, ୯ ଗିରଫ

ବୈପାରିଗୁଡା: ବୈପାରିଗୁଡା ପୁଲିସ ତରଫରୁ ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଚାଲିଥିବା କୁକୁଡ଼ା ଗାଲି ଉପରେ ଚଢ଼ଉ କରି ଚାରୋଟି ଲଢ଼ୁଆ ଗଂଜା, ତିନୋଟି ମଟର ସାଇକେଲ, ଖୁଡୁଖୁଡି ଖେଳ ସାମଗ୍ରୀ, ୨୫୦୦ ଟଙ୍କା ଜବତ କରିବା ସହ ନଅ ଜଣ ଜୁଆଡିଙ୍କୁ ଗିରଫ କରିଛି। ପ୍ରକାଶ ଥାଉ କି ବର୍ତ୍ତମାନ ବୈପାରିଗୁଡା ବ୍ଲକରେ ବିଭିନ୍ନ ସ୍ଥାନରେ ନିୟମିତ ଭାବେ କୁକୁଡ଼ା ଗାଲି ଚାଲିଛି। ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଦହଡାଗୁଡା ଠାରେ କୁକୁଡ଼ା ଗାଲି ଚାଲିଥିବା ଖବରପାଇ ପୁଲିସ ସେଠାରେ ପହଞ୍ଚିଥିଲେ।

ସେଠାରେ ଦୁଇଟି କୁକୁଡ଼ା ସହ ଗୋଟିଏ ମଟରସାଇକେଲ ଜବତ କରିବା ସହ ଚାରି ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି। ଏହା ପରେ ଦରାଗୁଡା ପଞ୍ଚାୟତର ସଦରମହକୁମା ଠାରେ ଚାଲିଥିବା କୁକୁଡ଼ା ଗାଲିରେ ଚଢ଼ାଉ କରି ଦୁଇଟି କୁକୁଡ଼ା ସହ ଗୋଟିଏ କାତି ଏବଂ ଦୁଇଟି ମଟରସାଇକେଲ ଜବତ କରିବା ସହ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ଏଥିସହ ଖୁଡଖୁଡି ଖେଳ ପାଇଁ ବ୍ୟବହୃତ ହେଉଥିବା ଗୋଟି, ବାଉଁଶ ଡାଲା ମଧ୍ୟ ଜବତ କରିଛନ୍ତି। ଏହି ଚଢ଼ାଉରେ ଏସ୍ଆଇ ଅସିତ ବଳବନ୍ତରାୟ, ଏଏସ୍ଆଇ ଘାସିରାମ ସେଠୀଙ୍କ ସହ ଅନିରୁଦ୍ଧିନ୍ ଖାନ୍, ରାମ ପାଙ୍ଗି ଏବଂ ଏମ୍.ଏମ୍. ଦୁରୁ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର