ଆଖି ଆଗରେ ଚାଲିଗଲା ପତ୍ନୀ ଓ ଝିଅର ଜୀବନ, ବାପ ଓ ପୁଅ ‌ଆହତ

ବାଲେଶ୍ବର : ଦୁର୍ଘଟଣା ଯୋଗୁଁ ଆଖିଆଗରେ ଚାଲିଗଲା ପତ୍ନୀ ଓ  ଆଠ ବର୍ଷ ଝିଅର ଜୀବନ। ପୁଅ ରକ୍ତାକ୍ତ ହୋଇ କିଛିବାଟ ଦୂରରେ ଛିଟିକି ପଡ଼ିଥାଏ। ନିଜେ ମଧ୍ୟ ବାଇକ୍‌ ସହ ଘୋଷାଡ଼ି ହୋଇ ରକ୍ତ ଯୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ଥାଆନ୍ତି। ଖାଲି ଚିତ୍କାର କରି କାନ୍ଦିବା ଛଡ଼ା ଆଉ କିଛି ବୁଦ୍ଧିବାଟ ଦିଶୁ ନଥାଏ। ଛାତିଫଟା କାନ୍ଦରେ ଜାତିୟରାଜପଥ ଫାଟୁଥାଏ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ହଦଳୀପଦା ଜାତୀୟ ରାଜପଥ‌ ନିଧିପଣ୍ଡା ଛକ ଗେମନପୋଲ୍ଲ ନିକଟରେ। ଅଜଣା ଟ୍ରକ ଧକ୍କା ଯୋଗୁଁ ସଦର ଥାନା ଟୁଲଙ୍ଗସାହିର ରେଣୁକା ମହାପାତ୍ର(୩୦) ଓ  ହିମାଂଶୀ ମହାପାତ୍ର(୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ଦେବଦତ୍ତ ମହାପାତ୍ର(୩୫) ଓ  ପୁଅ ସୌରଭ ମହାପାତ୍ର(୬) ଆହତ ହୋଇଛନ୍ତି। ଖବରପାଇ ହଳଦୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ୍‌ ପଠାଇଛି ।

ପୁଲିସ ସୁଚନା ମୁତାବକ, ତିନିଦିନ ତଳେ ଦେବଦତ୍ତ ପରିବାର ସହ ଶ୍ବଶୂର ଘରକୁ ଯାଇଥିଲେ। ସୋମବାର ଅପରାହ୍ନ ୪ଟା ସମୟରେ ଟୁଲଙ୍ଗସାହି ସ୍ଥିତ ଘରକୁ ଫେରୁଥିଲେ। ତେବେ ସେମାନେ ଗେମନପୋଲ୍ଲ ନିକଟରେ ଯାଉଥିବା ସମୟରେ ପଛପଟୁ ଦ୍ରୁତି ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବାଇକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ପତ୍ନୀ ଓ ଝିଅ ବାଇକ୍‌ରୁ ଛିଟିକି ଯାଇ ଟ୍ରକ ଚକା ତଳେ ପଡ଼ିଥିଲେ। ଆଉ ପୁଅ କିଛିବାଟ ଦୂରରେ ପଡ଼ିଥିଲା। ସେହିପରି ଦେବଦତ୍ତ ବାଇକ୍‌ ସହ ପାଖାପାଖି ୫୦ ମିଟର ଘୋଷାଡ଼ି ହୋଇ ତଳେ ପଡ଼ିରହିଥିଲେ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ପତ୍ନୀ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପ ପୁଅ ରକ୍ତକ୍ତା ଅବସ୍ଥାରେ ପଡ଼ି ରହିଥିଲେ। ଆଖପାଖରେ ଥିବା ଲୋକ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ହଳଦୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବାପପୁଅଙ୍କୁ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ୍‌ ପଠାଇଥିଲା। ସେହିପରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଏନେଇ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର