କୋରାପୁଟ ପ୍ରଶାସନର ଅଳସ, ବୁଡିଗଲା ଅଳସୀ ତେଲ ପ୍ରକଳ୍ପ

ପାଣିରେ ପଡିଲା ୨୮ ଲକ୍ଷ ଟଙ୍କା: ଖତ ଖାଉଛି ଗାଡି, ମେସିନ୍‌

କୋରାପୁଟ: ଆରମ୍ଭ କରିଦେଇ ଅଳସ ଦେଖାଇଥିଲେ ମିଶନ ଶକ୍ତି। ପ୍ରଶାସକ ପରିବର୍ତ୍ତନ ହେବା ପରେ ମିଶନ ଶକ୍ତିରେ ଦେଖାଗଲା ସାଙ୍ଘାତିକ ଅଳସ। ଫଳରେ କୋରାପୁଟ ଜିଲ୍ଲାରେ ବୁଡି ଗଲା ଅଳସୀ ମଞ୍ଜିରୁ ତେଲରୁ ପ୍ରସ୍ତୁତ କରିବା ପ୍ରକଳ୍ପ। ଏଥିପାଇଁ ମାନସ ନିକଟରେ ରହିଥିବା ପ୍ରକଳ୍ପ ଗୃହ ସେହିପରି ପଡିଥିବାବେଳେ ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଛି । ଖାଲି ଯେ ମେସିନ ଖତ ଖାଉଛି ତାହା ନୁହେଁ ଏଥିପାଇଁ ବ୍ୟବହୃତ ଏକ ମିନିଟ୍ରକ ମଧ୍ୟ କାର୍ଯ୍ୟ ନ ପଡି ଖତ ଖାଉଛି। ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାରେ ଅଳସୀ ଚାଷ କରୁଥିବା ଆଦିବାସୀ ଚାଷୀ ଉପକୃତ ହେବେ। ଘରେ ହାତବାନ୍ଧି ବସିଥିବା ମହିଳା କର୍ମ ସଂସ୍ଥାନ ପାଇବେ। ନିଜେ ଚାଷ କରୁଥିବା ଅଳସୀକୁ ନିଜେ ତେଲ ଓ ପିଡିଆ ପ୍ରସ୍ତୁତ କରି ପରିବାରର ଆର୍ଥିକ ସହଭାଗିତାକୁ ବୃଦ୍ଧି କରିବେ। କିନ୍ତୁ ସବୁ ଆଶା ଆଶା‌ରେ ରହିଗଲା। ମାତ୍ର ମା‌ସଟିଏ ଚାଲିବା ପରେ ଝୁଣ୍ଟିଲା ଏମିତି ଯେ ଆଉ ଉଠିପାରିଲାନି।

ଠିକ ସମୟରେ ପୂର୍ବତନ ଆଇଏଏସ ରାମଚନ୍ଦ୍ର ଯାଦବଙ୍କ ପଦୋନ୍ନତି ହେବା ପରେ ତାଲା ପଡିଲା ଯେ ଖୋଲିବା ନା ନେଲାନି। ୨୦୧୨ ମସିହାରେ ପ୍ରାୟ ୨୫ ଲକ୍ଷ ଟଙ୍କା ବିନିମୟରେ ଆଇଓଏପି ଫଣ୍ଡରେ ଆରେମ୍ଭ ହୋଇଥିଲା ଏହି ପ୍ରକଳ୍ପ। ଦିନକୁ ୨୦୦ ଲିଟର ତେଲ ପ୍ରସ୍ତୁତ ହେଉଥିବାବେଳେ ସମାନୁପାତ‌ରେ ପିଡିଆ ମଧ୍ୟ ଉତ୍ପାଦନ ହେଉଥିଲା। ଏଥିପାଇଁ ୫ଜଣ ବୈଷୟିକ ମାନବ ସମ୍ଭଳ ରହି କାର୍ଯ୍ୟ କରୁଥିବାବେଳେ ମିଶନ ଶକ୍ତି ଜିଲ୍ଲା ଫେଡେରେସନ ଏହାକୁ ପରିଚାଳନା କରୁଥିଲା। ଏହି କାର୍ଯ୍ୟ ପାଇଁ ୧୫ଟି ଏସଏସଜି ନିୟୋଜିତ ରହିଇଥିବାବେଳେ ବିନା ପ୍ରୋସେସିଂ ଫି ଓ ସାମାନ୍ୟ ଲଗ ରଖି ଆରମ୍ଭ ହୋଇଥିଲା ତେଲ ଘଣା। ଏହାସହ ପ୍ରସ୍ତୁତ ତେଲ ପାଇଁ ମଧ୍ୟ ବଜାର ପ୍ରସ୍ତୁତ ହୋଇଥିଲା। ବିଭିନ୍ନ ଘରୋଇ ସ୍କୁଲ, ପୁଲିସ ଓ ବିଏସଏଫ କ୍ୟାମ୍ପରେ ଏହାର ବଡ ବଜାର ରହିଥିଲା। ପ୍ରତି ମାସରେ ପ୍ରାୟ ୨ ଲକ୍ଷ ଟଙ୍କା ଆୟ କରୁଥିବାବେଳେ ଏହା ହଠାତ ବନ୍ଦ ହୋଇପଡିଲା ଯେ ଆଉ ଉଠି ପାରିଲାନି।

ଏବେ ଏହି ଗୃହରେ ଦୀର୍ଘ ୭ ବର୍ଷ ହେବ ପ୍ରଶାସନର ପାଦ ପଡି ନ ଥିଲାବେଳେ ମେସିନର ଯନ୍ତ୍ରାଶ ସବୁ ବାହାରେ ପଡିଛି। ମେସିନର ଘଣା ଓ ତେଲ ତିଆରି ସରଞ୍ଜାମ ସହ ସବୁ ଜିନିଷ ବାହାରେ ପଡିଥିବାବେଳେ ଏହିଠାରେ ରହୁଥିବା ଅଣଓଡ଼ିଆ ରହୁଥିବା ଦେଖିବାକୁ ମିଳିଛି। ଏହି ଅଣଓଡିଆଙ୍କ କବଜାରେ ଘରଟି ରହିଥିବାବେଳେ କିପରି ଯନ୍ତ୍ରାଶ ପଦାରେ ପଡିଛି ତାହା ତଦନ୍ତ ପରିସରଭୁକ୍ତ। ଏନେଇ ମିଶନଶକ୍ତିର ବରିଷ୍ଠ ଅଧିକାରୀ ଜୟକ୍ରୀଷ୍ଣ ମହାପାତ୍ର କହିଛନ୍ତି ଯେ ଯେଉଁମାନେ ଏହାକୁ ପରିଚାଳନା କରୁଥିଲେ କାହିଁକି ଏହାକୁ ଛାଡିଲେ ତାହା ଏବେ ଯାଏ ଜଣାନାହିଁ। କିନ୍ତୁ ଏହାକୁ ପୁଣି ଥରେ ଛିଡା କରିବାକୁ ପ୍ରୟାସ କରାଯାଉଛି। ଖୁବଶୀଘ୍ର ଏହାକୁ ପରିଚାଳନା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର