ନାହିଁ ନାହିଁରେ ଚାଲିଛି ଆଠମଲ୍ଲିକ ରକ୍ତଭଣ୍ଡାର

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ନାହିଁ ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି। ଏଠାରେ ଡାକ୍ତରଠାରୁ ଆରମ୍ଭ କରି ଜଣେ ହେଲେ ବି ନିଜସ୍ବ କର୍ମଚାରୀ ନଥିବା ଜଣାଯାଇଛି। କାମ ଚଳାଇବା ପାଇଁ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କୁ ସାମୟିକ ଭାବେ ଅଣାଯାଉଛି। ତେବେ ଗାଡ଼ି ଓ ଆବଶ୍ୟକ ଉପକରଣ ବି ନାହିଁ। ସୂଚନାଯୋଗ୍ୟ, ଆଠମଲ୍ଲିକ ଉପଖଣ୍ଡ ସମେତ ବୌଦ୍ଧ ଜିଲ୍ଲା ହରଭଙ୍ଗ ବ୍ଲକର ବହୁ ଅଞ୍ଚଳର ଜନସାଧାରଣ ଏହି ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ଜରୁରିକାଳୀନ ପରିସ୍ଥିତିରେ ରକ୍ତ ପାଇଁ ଏହି ରକ୍ତଭଣ୍ଡାର ହିଁ ସାହା ଭରସା ହୋଇଥାଏ। ଏହି ରକ୍ତଭଣ୍ଡାର ୨୦୦୯ ମସିହା ଅକ୍ଟୋବର ୨୧ ତାରିଖରେ ଉଦ୍‌ଘ‌ାଟିତ ହୋଇଥିଲା। ଏଠାରେ ଜଣେ ଡାକ୍ତର, ୩ ଜଣ ଲାବ୍ରୋଟାରି ଟେକନ୍ିସିଆନ୍, ୩ ଜଣ ଆଟେଣ୍ଡାଣ୍ଟ ଆବଶ୍ୟକ ଥିବା ବେଳେ ଅଦ୍ୟାବଧି ଜଣେ ହେଲେ କର୍ମଚାରୀ ନିଯୁକ୍ତି ପାଇନଥିବା ଜଣାଯାଇଛି। ଏଥି ସହିତ ରକ୍ତଭଣ୍ଡାର ପାଇଁ ସ୍ୱତନ୍ତ୍ର ଗାଡ଼ି ମଧ୍ୟ ନାହିଁ । ରକ୍ତ ସଂରକ୍ଷଣ ପାଇଁ ଫ୍ରିଜ୍ ନଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ରକ୍ତଭଣ୍ଡାର ଠିକ୍ ଭ‌ାବେ ଚାଲିବା ସମ୍ଭବପର ହୋଇପାରୁ ନାହିଁ। ଏସବୁ ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଓ ନବନିର୍ବାଚିତ ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର