ରନ୍ତଲେଇରେ ବ୍ୟାପିଲା ଝାଡ଼ାବାନ୍ତି

୧୫ଆକ୍ରାନ୍ତ, ଆଖି ବୁଜିଲେ ମହିଳା ସ୍ବାସ୍ଥ୍ୟ ବିଭାଗ କହିଲା ଖାଦ୍ୟରେ ବିଷକ୍ରିୟା ଗାଁ ଲୋକଙ୍କ ଆଶଙ୍କା ଦୂଷିତ ପାଣି

ବନ୍ତଳା: ଅନୁଗୁଳ ସହର ଉପକଣ୍ଠ ରନ୍ତଲେଇ ଗାଁ ହରିଜନ ସାହିରେ ବ୍ୟାପିଛି ଝାଡ଼ାବାନ୍ତି। ଗତ ବୁଧବାରଠାରୁ ଲୋକେ ଏଥି‌େର ଆକ୍ରାନ୍ତ ହେଲେଣି। ପ୍ରାୟ ୧୫ଜଣ ଲୋକ ଚିକିତ୍ସିତ ହେଉଥିବା ବେଳେ ଗାଁର ହରମୋହନ ନାଏକଙ୍କ ପତ୍ନୀ ନିଦ୍ରାବତୀ ନାଏକ(୫୫)ଙ୍କର ମୃତ୍ୟୁ ହୋଇଛି। ରୋଗର କାରଣ ଦୂଷିତ ଜଳ ବୋଲି ଗାଁ ଲୋକେ ଅନୁମାନ କରୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ବିଷକ୍ରିୟା କାରଣ ଦର୍ଶାଇଛି। ଅନୁଗୁଳ ଓ ବନ୍ତଳାରୁ ଦୁଇଟି ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି।
ଗାଁ ଲୋକଙ୍କ କହିବା ଅନୁସାରେ, ବୁଧବାରଠାରୁ ଝାଡ଼ା ସହିତ ଲୋକଙ୍କ ବାନ୍ତି ଆରମ୍ଭ ହୋଇଥିଲା। ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଏଥିରେ ପୀଡ଼ିତ ହୋଇଥିଲେ। ମୃତ ନିଦ୍ରାବତୀଙ୍କ ସ୍ବାମୀ ହରମୋହନ ନାଏକ(୬୦), ପୁଅ ସଞ୍ଜୟ ନାଏକ(୩୫), ବୋହୂ ମିଲି ନାଏକ(୩୦) ଅସୁସ୍ଥ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ନିଦ୍ରାବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଇତିମଧ୍ୟରେ ନିଦ୍ରାବତୀଙ୍କ ପରିବାର ସଦସ୍ୟ ଓ ପଡ଼ୋଶୀ ଅମ୍ବିକା ନାଏକ(୩୭), ଜିତେନ୍ଦ୍ର ନାଏକ(୩୨) ଯଦିଓ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି, ତଥାପି ଗାଁର ଅଜୟ ନାଏକ(୩୨), ରାହୁଲ ନାଏକ(୮) ଓ ଆୟୁଷ ନାଏକ(୩) ପ୍ରମୁଖ ତିନି ଜଣ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ୧୨ବର୍ଷର ଶିଶୁ ଶୁଭମ ନାଏକ କଟକ ଶିଶୁ ଭବନରେ ଭର୍ତ୍ତି ହୋଇଛନ୍ତି। ହିସାବ କଲେ ସମୁଦାୟ ୧୫ଜଣ ଲୋକ ପୀଡ଼ିତ ହୋଇଛନ୍ତି। ସୂଚନା ପାଇ ବନ୍ତଳା ଓ ଅନୁଗୁଳରୁ ଦୁଇଟି ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଗାଁକୁ ଯାଇ ଚିକିତ୍ସା କରୁଥିବା ପୁରୁଣାଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସତ୍ୟନାରାୟଣ ସାହୁ କହିଛନ୍ତି, ଝାଡ଼ାବାନ୍ତିର କାରଣ ଖାଦ୍ୟରେ ବିଷକ୍ରିୟା ହୋଇପାରେ। କାରଣ, ଲୋକେ ଦୁଇ ଓଳି ଚଣା ଡାଲି, ପଣସ, ତରଭୁଜ, ଶାଗ ଆଦି ଖାଇଥିବା ଅନୁମାନ କରାଯାଉଛି। ବୟସାଧିକ୍ୟ କାରଣରୁ ଗାଁର ମହିଳା ନିଦ୍ରାବତୀ ହଜମ କରି ପାରି ନାହାନ୍ତି। ଅସୁସ୍ଥ ହୋଇ ପରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଅନ୍ୟମାନଙ୍କର ଚିକିତ୍ସା କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି। ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ସାହୁ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସମ୍ଭବତଃ ଖାଦ୍ୟରେ ବିଷକ୍ରିୟା ଏହାର କାରଣ ହୋଇପାରେ ବୋଲି ସେ ଅନୁମାନ କରୁଛନ୍ତି। ଗତ ଦୁଇ ଦିନ ହେଲା ଆମେ ସ୍ଥିତି ଅନୁଧ୍ୟାନ କରିଛୁ। ଗାଁର ଜଳାଶୟକୁ ବିଶୋଧନ କରାଯାଇଛି। ଲୋକଙ୍କୁ ଓଆର୍ଏସ୍‌ ବଣ୍ଟାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ଗାଁ ଲୋକେ କିନ୍ତୁ ଏଥିପାଇଁ ଗାଁର ଡ୍ରେନେଜ୍‌ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। କହିଛନ୍ତି, ଗାଁର ଦୂଷିତ ପାଣି ନିର୍ଗତ ପାଇଁ ଡ୍ରେନ୍‌ ବ୍ୟବସ୍ଥା ଆଦୌ ନାହିଁ। ରାସ୍ତାଘାଟ ସବୁବେଳେ ପୂତଗନ୍ଧମୟ। ଗାଁକୁ ଯେଉଁ ପାଣି ପାଇପ୍‌ ଲାଇନ୍ ଯାଇଛି ତାହା ବି ଦୂଷିତ ପାଣି ଦ୍ବାରା ପ୍ରଭାବିତ। ପାଣି ଟ୍ୟାପ୍‌, ନଳକୂପ ମୂଳରେ ପାଣି ଜମୁଛି। ପାଣି ଦୂଷିତ ହେବା ପାଇଁ ଏହା ମୁଖ୍ୟ କାରକ ବୋଲି ଗାଁ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର