ପୁଲିସ ଠାରୁ ମାଡ଼ ଖାଇ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ଅନଗୁଳ: କଣିହାଁ ଥାନା ପୁଲିସ ଠାରୁ ମାଡ଼ ଖାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଯୁବକ ହେଉଛନ୍ତି ବଡ଼ଗୁଣ୍ଡୁରୀ ଗାଁ’ର ଦୀପକ ବାରିକ।

ଘରୋଇ କଳି ଯୋଗୁଁ ଦୀପକ ମାରଧର କରିଥିବା କଥା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଶୁକ୍ରବାର ସକାଳେ ଦୀପକଙ୍କୁ ଥାନାକୁ ନେଇଥିଲା।

ଥାନାରେ ଜଣେ ଏସ୍‌. ଆଇ. ପ୍ରବଳ ମାଡ଼ ଦେବାରୁ ଦୀପକଙ୍କ ନାକରୁ ରକ୍ତ ପଡ଼ିଥିଲା ଓ ସେ ଅଚେତ ହୋଇ ପଡ଼ିଥିଲେ। ଚିକିତ୍ସା ନିମନ୍ତେ ପୁଲିସ ତାଙ୍କୁ ଅଟୋରେ ନେଇ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ମୃତ ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

ସାମାନ୍ୟ କଥାକୁ ନେଇ ପୁଲିସ ମାଡ଼ ଦେଇ ଦୀପକଙ୍କୁ ମାରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର