ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସରପଞ୍ଚ ପ୍ରାର୍ଥୀଙ୍କୁ ଘର ସାମ୍ନାରେ ହତ୍ୟା

ନାଲକୋ ନଗର: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ଗଳାକାଟି ହତ୍ୟା କରାଯାଇଛି। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ଆଜି ସକାଳ ୭ ଘଟିକା ସମୟରେ ତାଙ୍କ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ ତୋଲୁ ଥିବାବେଳେ ସେହି ଗ୍ରାମର ଜଣେ ଯୁବକ ପଛରୁ ଆସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକରୁ ହାଣି ଦେଇଥିବା ପୁଲିସ୍ ପ୍ରକାଶ କରିଛି।

ମୃତ ଶିବରାମ ଚଳିତବର୍ଷ ସରପଞ୍ଚ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ। ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟା ସମୟରେ ବାପାଙ୍କ ଚିତ୍କାର ଶୁଣି ଝିଅ ଘର ବାହାରକୁ ଆସିବା ମାତ୍ରେ ଦୃବୁର୍ତ୍ତ ଜଣକ ଧାରୁଆ ଅସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରାଇଥିଲା। ଯାହାକୁ ଦେଖି ଝିଅ ଘର ଭିତରକୁ ଚାଲି ଯାଇଥିଲେ। ଘଟଣାସ୍ଥଳରୁ ଦୃବୁର୍ତ୍ତ ଜଣକ ନିଜ ଚପଲ ଓ ନାଲି ରଙ୍ଗର ହେଲମେଣ୍ଟକୁ ଛାଡି ବଳରାମପ୍ରସାଦ ଗ୍ରାମର ବଉଳ ଛକ ଦେଇ କଇଁଫୁଲିଆ ସାହି ପଟେ ଚାଲି ଯାଇଥିଲା।

ସ୍ଥାନୀୟ କିଛି ଯୁବକ ତାଙ୍କୁ ପିଛା କରିଥିଲେ ବି କୌଣସି ସନ୍ଧାନ ପାଇ ପାରିନଥିଲେ। ଖବର ପାଇ ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତ ଶିବରାମଙ୍କ ମୃତଦେହକୁ ଜବତ କରି ଅନୁଗୋଳ ଡାକ୍ତଖାନକୁ ପଠାଇଛି। ଘଟଣାସ୍ଥଳରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ନାଲକୋଥାନା ଅଧିକାରିଣୀ ବିନ୍ଦୁଭାସିନୀ ବିଶ୍ଵାଳଙ୍କ ସମେତ ଏକ ପ୍ଲାଟୁନ ପୁଲସ ଫୋର୍ସ ମୁତୟନ ଅଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାରୀ ଫେରାର ଅଛି।

ସମ୍ବନ୍ଧିତ ଖବର