ଏସିଆ ବିଜୟିନୀଙ୍କୁ ସମ୍ମାନ ନାହିଁ

ଅନୁଗୁଳ, (ରତ୍ନାକର ‌ଭୋଇ): ସୁନ୍ଦରୀ ପ୍ରତିଯୋଗିତାରେ ଏସିଆ ବିଜୟିନୀ ଅନୁଗୁଳର ଝିଅ ନିବେଦିତା ବିଶ୍ବାଳ ନିଜ ଜନ୍ମମାଟିରେ ଏବେ ଅଲୋଡ଼ା ହୋଇଛନ୍ତି। ଗତ ଡିସେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ଓମାନର ମାସ୍କଟ ସହରରେ ମିସ୍‌ ଏସିଆ ପେସିଫିକ୍ ଏଲିଗାଣ୍ଟ ୨୦୧୮-୧୯ ପ୍ରତିଯୋଗିତାରେ ୧୦ଟି ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ। ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ ନିବେଦିତା। ଏବେ ତାଙ୍କ ପାଖକୁ ବିଭିନ୍ନ ଫିଲ୍ମରେ ଅଭିନୟ କରିବାର ସୁଅ ଛୁଟୁଛି। ଜନ୍ମମାଟିକୁ ଫେରିବାର ୧୮ ଦିନ ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇନାହିଁ।

ନିବେଦିତା ହିନ୍ଦୀ, ତେଲୁଗୁ, ତାମିଲ ଓ କନ୍ନଡ଼ ଭାଷାରେ ନିର୍ମିତ ଫିଲ୍ମ ‘ବି ପଜିଟିଭ୍’ରେ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି। ‌ଭେଙ୍କଟେଶ୍ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଜୁଲାଇରେ ସାରା ବିଶ୍ବରେ ଏକ ସଂଗରେ ରିଲିଜ୍ ହେବାକୁ ଯାଉଛି।ଏକ ଘରୋଇ ଟ୍ରାନ୍‌ସପୋର୍ଟ କଂପାନିରେ କାମ କରୁଥିବା ରତ୍ନାକର ବିଶ୍ବାଳ ଓ ଗୃହିଣୀ ରାନୁ ବିଶ୍ବାଳଙ୍କ ସୁକନ୍ୟା ନିବେଦିତାଙ୍କୁ ଏହି ସ୍ତରକୁ ପହଂଚିବା ପାଇଁ ବେଶ୍‌ ସଂଘର୍ଷ କରିବାକୁ ପଡ଼ିଛି। ସାଂଗମାନେ ଉତ୍ସାହିତ କରିବାରୁ ୨୦୧୪‌ ମସିହାରେ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ୨୦୧୫ରେ ପ୍ରଥମ ଥର ପାଇଁ ମିସ୍‌ ଏଲିଗାଣ୍ଟ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଥିଲେ। ଆମେରିକୀୟ କଂପାନିରେ କାର୍ଯ୍ୟରତ ନିବେଦିତା ମିସ୍‌ ଏସିଆ ପେସିଫିକ୍ ଏଲିଗାଣ୍ଟ ପ୍ରତିଯୋଗିତା ଜିତି ଫେରିବା ପରେ ତାଙ୍କୁ ବେଙ୍ଗାଲୁରୁରେ ସ୍ବାଗତ କରାଯାଇଥିଲା। ଜନ୍ମମାଟିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିବେଦିତା କହନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିକଟରେ ଫୋନ୍ କଲ୍‌ଟିଏ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ ଫୋନ୍‌ କରି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ବାସ୍ େସତିକି।

ସମ୍ବନ୍ଧିତ ଖବର