ବାତ୍ୟା ୟାସକୁ ନେଇ ପୁରୀରେ ବ୍ୟାପକ ପ୍ରସ୍ତୁତି, ଆସନ୍ତାକାଲି ବନ୍ଦ ରହିବ ଗୁଜ ଅନୁକୂଳ ନୀତି

ପୁରୀ: ବାତ୍ୟା ୟାସକୁ ନେଇ ଆଜି ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି | ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼.କ୍ରିଷନ କୁମାର ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି | ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ନୀଳାଚଳ ଭକ୍ତ ନିବାସରେ ହୋଇଥିବା କୋଭିଡ କେୟାର ସେଣ୍ଟରରେ ସମସ୍ତ ବ୍ୟବସ୍ଥା କରାଯାଇଛି | ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ସହିତ ପାୱାର ବ୍ୟାକ୍ ଅପ୍ ବ୍ୟବସ୍ଥା ନିଶ୍ଚିତ କରାଯିବା ସହ ୩-୪ ଦିନ ପାଇଁ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରି ରଖାଯାଇଛି |

ସେହିପରି ରୋଗୀମାନଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡରର ପର୍ଯ୍ୟାପ୍ତ ବ୍ୟାକ୍ ଅପ୍ ରଖାଯାଇଛି | ସେହିପରି ଆସନ୍ତାକାଲି ରଥ ଖଳାରେ ହେବାକୁ ଥିବା ଗୁଜ ଅନୁକୂଳ ନୀତି ସହ ରଥ ଖଳାରେ କାର୍ଯ୍ୟ ସ୍ଥଗିତ ରହିବ। ସେହିପରି ବାତ୍ୟା ଯୋଗୁଁ ଯେଭଳି ଶ୍ରୀମନ୍ଦିର ପରିସରରେ କୌଣସି କ୍ଷତି ନ ହେବ ସେ ନେଇ ପଦକ୍ଷେପ ନିଆଯାଇଛି |

ଏଏସଆଇକୁ ମନ୍ଦିର ଚାରିପାଖରେ ଥିବା ସ୍କାଫୋଲ୍ଡିଂକୁ କମ୍ କରିବାକୁ ଅନୁରୋଧ କରାଯିବ ଯାହା ଦ୍ୱାରା କୌଣସି କ୍ଷତି ହେବ ନାହିଁ | ଆବଶ୍ୟକତା ଅନୁଯାୟୀ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ସେସୁ, ପୌରପାଳିକାର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯିବ | ସେହିପରି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତି ଜାରି ରହିବ |

ସମ୍ବନ୍ଧିତ ଖବର