ପରିବହନକୁ କରୋନା ମାଡ: କନ୍ଧମାଳର ୭୫୦ ଅଟୋ ଚାଳକଙ୍କ ମୁଣ୍ଡରେ ଚଡ଼କ

ଫୁଲବାଣୀ: କରୋନା ଲକ୍ ଡାଡନକୁ ଆଜି ସପ୍ତାହ ପୁରିଲା। ଯାନବାହାନ ଚଳାଚଳ ବନ୍ଦ। ଲୋକମାନେ ଘର ବାହାରକୁ ବାହାରୁ ନାହାନ୍ତି। ସବୁ ଆଡେ ଶୂନଶାନ। କରୋନା କଟକଣା ଯୋଗୁଁ ପରିବହନ କ୍ଷେତ୍ରରେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋ ଚାଳକ। ଏମିତି କନ୍ଧମାଳରେ ୭୫୦ ଅଟୋ ଚାଳକଙ୍କୁ କରୋନା କଟକଣାରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିଛି। କିଏ ଧାର କରଜ କରି ଋଣ ଆକାରରେ ଅଟୋ କିଣି ନିଜେ ଚଳାଉଥିଲେ।  ଆଉ କିଏ ଭଡା ସୁତ୍ରରେ ମାଲିକଙ୍କ ଅଟୋ ଚଳାଉଥିଲେ।

ଆଞ୍ଚଳକ ପରିବହନ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ସମୁଦାୟ ୭୫୦ଟି ଅଟୋ ଚାଲିଛି। ସେଥି ମଧ୍ୟରୁ ଫୁଲବାଣୀ ସହରରେ ୨୧୫,ବାଲିଗୁଡାରେ ୨୬୦,ଜି.ଉଦୟଗିରିରେ ୨୦୦ଟି ଅଟୋ ଚାଲୁଛି। ବାକି ଆଉ କେତେକ ସ୍ଥାନରେ କିଛି ଅଟୋ ଚଳଚଳ କରୁଛି। ବସଷ୍ଟାଣ୍ଡ ହେଉ କି ଭଡାସୁତ୍ରରେ ହେଉ। ଅଟୋରେ ଯାତ୍ରୀମାନଙ୍କୁ ନେଇ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଇଥାନ୍ତି ଚାଳକ। ଏଥିରୁ ଯାହା ଅର୍ଥ ମିଳେ ସେଥିରୁ ଅଟୋ ରୁଣ ବାବଦକୁ ଟଙ୍କା ବ୍ୟାଙ୍କରେ ମାସକୁ ମାସ ଜମା କରାଯାଏ। ବାକି ଯାହା କିଛି ଟଙ୍କା ରହେ ସେଥିରେ ପରିବାର ଚଳିଥାଏ। ହେଲେ କରୋନା କଟକଣା ଯୋଗୁ ସପ୍ତାହ ହେଲା ଅଟୋର ଚକା ଗଡୁ ନଥିବାରୁ ଚାଳକମାନେ ପରିବାର ଚଳାଇବା ଓ ବ୍ୟାଙ୍କ ଋଣ ଅର୍ଥ ସୁଝିବା ନେଇ ବଡ ଚିନ୍ତାରେ ପଡି ଯାଇଛନ୍ତି।

ଏମିତି ଜଣେ ଅଟୋ ଚାଳକ ହେଉଛନ୍ତି ପ୍ରକାଶ ବେହେରା। ତାଙ୍କ ଘର ଖଜୁରୀପଡା। ପତ୍ନୀ କଳ୍ପନା ଓ ୩ ଝିଅକୁ ନେଇ ଫୁଲବାଣୀ ସହର ଜିରିଙ୍ଗପଡାରେ ଭଡା ଘରେ ରହୁଛନ୍ତି। ସେ ମାଲିକର ଅଟୋ ଚଲାନ୍ତି। ଏଥିରୁ ଦିନକୁ ୨ଶହରୁ ୨୫୦ ଟଙ୍କା ମିଳେ। ଏଥିରେ ସେ ଘରଭଡା ସହ ପରିବାର ଚଳାଇଥାନ୍ତି। ସେଥିରେ ପୁଣି ପିଲାଙ୍କ ପାଠପଢା। ଅଟୋ ଚଳାଇ ଯାହା ମିଳେ ସେଥିରେ ବହୁ କଷ୍ଟରେ ପରିବାର ଚଳାଉଥିବା ପ୍ରକାଶ ସପ୍ତାହ ହେଲା ଘରେ ବସିଛନ୍ତି। ପରିବାର ସହ ସମୟ କାଟୁଛନ୍ତି। ପାଖରେ ଟଙ୍କା ନଥିବାରୁ ଧାର କରଜ କରି ପରିବାର ଚଳାଉଥିବା ସେ କହିଛନ୍ତି। ତାଙ୍କ ଭଳି ଜିଲ୍ଲାରେ ଅଟୋ ଚଳାଉଥିବା ଅଧିକାଂଶ ଚାଳକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିବା  ସେ କହିଛନ୍ତି। କରୋନା କଟକଣା ପାଇଁ ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀ ପର୍ଯ୍ୟନ୍ତ ରାଜ୍ୟ ସରକାର ସାହାଯ୍ୟ ଘୋଷଣା କରିଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରିବାକୁ ପ୍ରକାଶ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର