ହସ୍ପିଟାଲ୍‌ ବେଡ୍‌ରେ ସାମ୍ବାଦିକଙ୍କ ପାଦରେ ବେଡ଼ି ପକାଇବା ଘଟଣା: ପ୍ରତିବାଦ କଲା ଟିଟିଲାଗଡ଼ ସାମ୍ବାଦିକ ସଂଘ

ଟିଟିଲାଗଡ଼: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନାଧିକାରୀ ଦ୍ରୌପଦୀ ଦାସଙ୍କ ଗଣମାଧ୍ୟମ ପ୍ରତିନିଧି ଉପରେ ଅମାନବୀୟ ଅତ୍ୟାଚାର କରିବା, ଗୋଡ଼ରେ ବେଡି ପକାଇବା ଘଟଣାକୁ ନେଇ ଏବେ ସମଗ୍ର ରାଜ୍ୟରେ ସାମ୍ବାଦିକମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଘଟଣାକୁ ନିନ୍ଦା କରିବା ସହ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ଗିରଫ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ଦାବି କରିଛି ଟିଟିଲାଗଡ଼ ସାମ୍ବାଦିକ ସଂଘ।

ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ସମ୍ମୁଖରେ ପ୍ରତିବାଦୀମାନେ ପ୍ରତିବାଦ କରିବା ସହ କଳା ବ୍ୟାଚ୍ ପିନ୍ଧି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗର୍ଜିଛନ୍ତି। ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଟିଟିଲାଗଡ଼ ସାମ୍ବାଦିକ ସଂଘ ଦାବି କରିଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଶିବ ପ୍ରସାଦ ପରିଡ଼ା, ଦୀପକ ସମ୍ମାଦାର, ସଞ୍ଜୟ ବେହେରା, ଅଶୋକ ତ୍ରିପାଠୀ, ସଞ୍ଜୟ ନାୟକ, ମନୋଜ ଶତପଥୀ, ଜିତୁ ସାହୁ, ଅଂକୁର ଅଗ୍ରୱାଲ, ସୁଧୀର ସାହୁ, ସୁଧୀର ଦାଶ ପ୍ରମୁଖ ସାମିଲ ରହିଥିଲେ।

ସମ୍ବନ୍ଧିତ ଖବର