ଦାଦନ ଭୋଟ ଦେବେ କେମିତି? ଘରେ ଘରେ ଝୁଲୁଛି ତାଲା, ଶ୍ରମ ବିଭାଗ ପାଖରେ ତଥ୍ୟ ନାହିଁ

ବରଗଡ଼/ଗାଈସିଲାଟ: ବାଜିଛି ନିର୍ବାଚନ ବିଗୁଲ୍‌। ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ, ପଶ୍ଚିମ ଓଡ଼ିଶାର ଦାଦନ ପ୍ରବଣ ଗାଁଗୁଡ଼ିକର ଭୋଟର କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ବ ରହିଛି। କାରଣ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କିଏ ଇଟାଭାଟିରେ ବନ୍ଧାପଡ଼ି କାମ କରୁଛନ୍ତି ତ ଆଉ କିଏ ବର୍ଷ ବର୍ଷ ହେଲା ଶ୍ରମିକ ଭାବେ ଖଟୁଛନ୍ତି। ବରଗଡ଼ ଜିଲ୍ଲାର ୪ଟି ଦାଦନପ୍ରବଣ ବ୍ଲକ୍‌ର ହଜାର ହଜାର ଭୋଟର ଏବେ ବାହାର ରାଜ୍ୟର ଇଟାଭାଟିରେ ଖଟୁଥିବା ଜଣାପଡ଼ିଛି।
ଦାଦନ ଶ୍ରମିକ ଫେରିଲେଣି ନା ନାହିଁ ତାହା ଜାଣିବାକୁ ଆମେ ଗାଈସିଲାଟ ବ୍ଲକ୍‌ ଅନ୍ତର୍ଗତ ରାଇସଲପଦର ଗାଁ ଗ୍ରାଉଣ୍ଡ ଜିରୋକୁ ପହଞ୍ଚିଥିଲୁ। ଗାଁର ଡୋଲାମଣି ସାହୁ, ତାଙ୍କ ସ୍ତ୍ରୀ ସାନ୍ତରା ସାହୁ ଓ ୨୦ ବର୍ଷୀୟ ପୁଅ ଉମେଶଙ୍କ ସହ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି। ସେହିପରି ଲୋକନାଥ ସାହୁ ନିଜ ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କୁ ନେଇ ବିଜୟୱାଡ଼ା କାମ କରିବାକୁ ଯାଇଛନ୍ତି। ମୋହନ ସାହୁ ଓ ବୈଶାଖୁ ସାହୁ ମଧ୍ୟ ପରିବାରବର୍ଗଙ୍କୁ ନେଇ ଏବେ ତାମିଲନାଡୁର ଏକ ଇଟାଭାଟିରେ କାମ କରୁଥିବା ଗ୍ରାମବାସୀ କହିଛନ୍ତି। ଗାଁର ପ୍ରାୟ ୩୦ରୁ ୩୫ ପରିବାର କିଏ ଇଟାଭାଟିରେ ଦାଦନ ତ ଆଉ କିଏ ବାହାର ରାଜ୍ୟର କେଉଁ ମିଲ୍‌ରେ ଶ୍ରମିକ ଭାବରେ ଖଟୁଛନ୍ତି। ସବୁ ଘରେ ତାଲା ଝୁଲୁଛି।

ସେହିପରି ଉମରାଡ଼ ଗାଁର ନବ ବଢ଼େଇ, ତାଙ୍କ ସ୍ତ୍ରୀ ସ୍ନେହଲତା, ଝିଅ ଓ ପୁଅଙ୍କୁ ଧରି ତାମିଲନାଡୁ ଦାଦନ ଯାଇଛନ୍ତି। ଗାଁର ପ୍ରାୟ ୧୦ଟି ପରିବାର ବାହାର ରାଜ୍ୟରେ ଥିବା ଗାଁ ଲୋକ କହିଛନ୍ତି। ଗାଈସିଲାଟ ବ୍ଲକ୍‌ ଜାମମାଲ, ପଂସଡୋଲ, ଖିନ୍ଦରାପାଲି, ଯୁଗୀମଠ ଭଳି ପ୍ରାୟ ୩୦ଟି ଗାଁର ଦାଦନ ଶ୍ରମିକମାନେ ଏବେବି ଘରକୁ ଫେରି ନାହାନ୍ତି। ବରଗଡ଼ ଜିଲ୍ଲାର ଗାଈସିଲାଟ, ଝାରବନ୍ଧ, ପାଇକମାଲ, ପଦ୍ମପୁର ବ୍ଲକ୍‌ରୁ ପ୍ରତ୍ୟେକ ବର୍ଷ ହାରାହାରି ୫୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଯାଉଥିବା ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ସର୍ଭେ ରିପୋର୍ଟ କହୁଛି।

ଅନ୍ୟପଟେ ବରଗଡ଼ ଜିଲ୍ଲା ଶ୍ରମ ବିଭାଗ ପାଖରେ ଦାଦନ କେତେ ସଂଖ୍ୟାରେ ବାହାର ରାଜ୍ୟକୁ ଯାଇଛନ୍ତି ସେ ସଂପର୍କରେ ତଥ୍ୟ ନାହିଁ। ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପ୍ରଧାନଙ୍କ କହିବାନୁସାରେ, ୫ରୁ ୬ ଜଣ କେବଳ ଶ୍ରମିକ ଠିକାଦାର ଲାଇସେନ୍ସ ନେଇଛନ୍ତି। ପ୍ରାୟତଃ ୪ଟି ବ୍ଲକ୍‌ର ବିଭିନ୍ନ ଗାଁ ନୂଆଁପଡ଼ା, ଛତିଶଗଡ଼ ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତକୁ ଲାଗି ରହିଛି। ସେମାନେ ଲୁଚିଛପି ଦାଦନ ଚାଲିଯାଉଛନ୍ତି। ଏଣୁ ଠିକ୍‌ ତଥ୍ୟ ରହୁନଥିବା କହିଛନ୍ତି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଆଦି ଜିଲ୍ଲାରୁ ମଧ୍ୟ ଦାଦନ ଶ୍ରମିକ ବାହାର ରାଜ୍ୟରେ ଅଛନ୍ତି। ଏଣୁ ଏହି ଦାଦନ ଶ୍ରମିକ କେମିତି ଭୋଟ ଦେବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର କୋଭିଡ୍‌ ସମୟରେ ଶ୍ରମିକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ। ଏଣୁ ଏଥର ବି ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଗଲେ ମତଦାନର ସୁଯୋଗ ସେମାନେ ପାଇବେ ବୋଲି ଦାଦନପ୍ରବଣ ଗାଁର ଲୋକେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର