ଭଦ୍ରକରେ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବ‌ାଚନ ଲାଗି ଭଦ୍ରକରେ ବିଜେପି ପକ୍ଷରୁ ଆଜି ମାରାଥନ୍ ପ୍ରଚାର କରାଯାଇଛି। ଦଳର ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଗସ୍ତରେ ଆସି ମାରାଥନ ପ୍ରଚାର କରିଛନ୍ତି। ଆଜି ଅପରାହ୍ନରେ ଭଦ୍ରକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସାତଭଉଣୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଆରଡ଼ି ଛକ ଦେଇ ଭଦ୍ରକର କଚେରି ରୋଡ୍‌, ନୂଆବଜାର, ରାଜଘାଟ ଛକ, କୁଆଁଶ, ଚନ୍ଦନବଜାର, ପୁରୁଣାବଜାର ଅଞ୍ଚଳରେ ରୋଡ୍‌ ସୋ’ କରାଯାଇଥିଲା। ଧ‌‌ର୍ମେନ୍ଦ୍ରଙ୍କର ଏଇ ରୋଡ୍‌ ସୋ’ରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ। ଏକ ବିଶାଳ ଶୋଭାଯାତ୍ର‌ାରେ ସହର ପରିକ୍ରମା କରିବା ବେଳେ ବିଜେପିର ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକ ଓ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ଭୋଟ୍‌ ଦେବାକୁ ଧର୍ମେନ୍ଦ୍ର ନିବେଦନ କରିଥି‌ଲେ।
ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ ଯେ ଓଡ଼ିଶାରେ ଶାସନ କରୁଥିବା ବିଜେଡି ସରକାରକୁ ହଟାଇବାକୁ ପଡ଼ିବ। ରାଜ୍ୟରେ ବିଜେପି ଆସିଲେ ଓଡ଼ିଶାର ଚିଟ୍‌ଫଣ୍ଡ ଲୁଟେରାଙ୍କୁ ଗିରଫ କରାଯିବ। ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ। ସେହିପରି ଓଡ଼ିଶାରେ ବିଜେପିକୁ ଥରେ ଶାସନ କ୍ଷମତାର ସୁଯୋଗ ଦେଲେ ଓଡ଼ିଶାର ଅସଲ ବିକାଶ ହେବ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ। ଆସନ୍ତା ୨୯ ତାରିଖରେ ଭଦ୍ରକରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ସହ ଲୋକସଭା ପ୍ରାର୍ଥୀଙ୍କୁ ଜିତାଇ ଆଣିବାକୁ ଧର୍ମେନ୍ଦ୍ର ଭୋଟରଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର