ଫୁଲୁଛି ବୈତରଣୀ: ରାତି ୮ଟା ସୁଦ୍ଧା ଅତିକ୍ରମ କରିବ ବିପଦ ସଙ୍କେତ, ତଳିଆ ଅଞ୍ଚଳର ଲୋକେ ଆତଙ୍କିତ
ବଢୁଛି ଗରିବ-ଦିନ ମଜୁରିଆଙ୍କ ଦୁଖ, ହଜାର ହଜାର ଏକର ଚାଷ ଜମି ଜଳମଗ୍ନ
ଭଦ୍ରକ: ଉପର ଓ ତଳ ମୁଣ୍ଡରେ ତିନି ଦିନ ହେବ ତୁହାକୁ ତୁହା ବର୍ଷା ହେବା ଫଳରେ ଶୁକ୍ରବାର ବୈତରଣୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଆଖୁଆପଦା ଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଆଜି ସକାଳ ୧୦ଟାରେ ଏହା ୧୭.୩୫ ମିଟର ଥିଲା। ମଧ୍ୟାହ୍ନ ୧୨ଟାରେ ୧୭.୫୦ ମିଟର ଓ ଅପରାହ୍ନ ୪ଟାରେ ୧୭.୬୬ ମିଟର ଜଳସ୍ତର ଥିବା ବେଳେ ରାତି ୮ଟା ପରେ ବିପଦ ସଙ୍କେତ ଅତିକ୍ରମ କରିବ ବୋଲି ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ଓ ଆଖପାଖ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ଭଦ୍ରକରେ ୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ, ଭଣ୍ଡାରିପୋଖରୀରେ ଏହା ୧୦୦ ମିଲିମିଟର, ବାସୁଦେବପୁରରେ ୮୦ମିଲି ମିଟର, ବନ୍ତରେ ୫୦ ମିଲିମିଟର, ଧାମନଗରରେ ୭୦ ମିଲି ମିଟର ଓ ତିହିଡିରେ ୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବୈତରଣୀର ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗରିବ ଓ ଦିନମଜୁରୀଆଙ୍କ ଘରେ ଆଜି ଚୁଲି ଜଳି ନାହିଁ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ସାଳନ୍ଦୀର ଜଳ ସ୍ଥିର ରହିଛି। ଧାମନଗର, ଚାନ୍ଦବାଲି, ଭଣ୍ଡାରିପୋଖରୀ ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଥିବା ସୂଚନା ମିଳିଛି।