ଟ୍ୟାଙ୍କର ଧକ୍କାରେ ବାଇକ ଚାଳକ ମୃତ

କୋଲାବିରା : ୪୯ ନମ୍ବର ଜାତୀୟ ରାଜପଥ କୋଲାବିରା ନିକଟସ୍ଥ ସନ୍ୟାସୀପାଳି ଛକଠାରେ ଏକ ଟ୍ୟାଙ୍କର ଏକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳ ସାଢେ ୧୦ଟା ରେ ସନ୍ୟାସୀପାଳି ଗାଁର ଦୀନବନ୍ଧୁ ମାଝୀ(୫୦) ନିଜ ଘରୁ ବାହାରି ଜାତୀୟ ୪୯ ନମ୍ବର ଜାତୀୟ ରାଜପଥରେ ଯ଼ାଉଥିଲେ । ବିପରୀତ ପଟୁ ଆସୁଥିବା ଏକ ଟ୍ୟାଙ୍କର (ନଂ ଓଆର ୦୨ ଵିଜି ୫୮୧୯) ତାଙ୍କ ବାଇକକୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ତୁରନ୍ତ ଗ୍ରାମବାସୀ ଓ କୋଲାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀନବନ୍ଧୁଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ୧୫ ମିନିଟ ପାଇଁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିରଖିଥିଲେ । ପରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ବୁଝାଇ ଲୋକଙ୍କୁ ଶାନ୍ତ କରାଇବା ପରେ ସ୍ଥିତି  ସ୍ୱାଭାବିକ ହୋଇଥିଲା। ଏ ନେଇ ପୋଲିସ ମାମଲା ରଜୁ କରି ଟ୍ୟାଙ୍କର କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର