ଏଥର ହେବ ସିଧାସଳଖ ପୌର ଅଧ୍ୟକ୍ଷ ନିର୍ବାଚନ, ରାୟଗଡ଼ାରେ ବିଜେଡ଼ି-ବିଜେପି-କଂ‌ଗ୍ରେସର ଗୁପ୍ତ ରଣନୀତି

ରାୟଗଡ଼ା: ସିଧାସଳଖ ନିର୍ବାଚନରେ କିଏ ହେବ ରାୟଗଡ଼ାର ପୌରାଧ୍ୟକ୍ଷ? କାହାକୁ ମିଳିବ ଜନ ସମର୍ଥନ। ଦଳୀୟ ପ୍ରାର୍ଥୀ ନା ନିର୍ମଳ ଭାବମୂର୍ତ୍ତୀ ଥିବା ପ୍ରାର୍ଥୀକୁ ଭୋଟର ଦେବେ ସମର୍ଥନ। ପୌର ନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ହୋଇନଥିଲେ ମଧ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପୌରାଧ୍ୟକ୍ଷ ନିର୍ବାଚନ ନିଷ୍ପତ୍ତିକୁ ନେଇ ଏବେ ଏମିତି ଚାଲିଛି ଚର୍ଚ୍ଚା। ୩ ପ୍ରମୁଖ ଦଳ ବିଜେଡ଼ି-ବିଜେପି-କଂ‌ଗ୍ରେସ ଗୁପ୍ତ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀଙ୍କ ନାମକୁ ଗୋପନ ରଖିଛନ୍ତି। ଦୀର୍ଘ ୨୯ ବର୍ଷ ପରେ ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନିର୍ବାଚନ କରିବାରେ ରାଜ୍ୟ ସରକାର ବହୁ ବିଳମ୍ବ କରିଥିବାରୁ ହାଇକୋର୍ଟ ଏ ନେଇ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୨୦୧୮ରେ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏଯାବତ୍ ନିର୍ବାଚନ ହୋଇପାରିନି।

ସୀମା ପୁନଃ ନିର୍ଧାରଣ, ସଂରକ୍ଷଣ ତାଲିକାରେ ପରିବର୍ତ୍ତନ ଏମିତି ନାନା ଆଳ ଦେଖାଇ ରାଜ୍ୟ ସରକାର ୩ ବର୍ଷ ହେଲା ନିର୍ବାଚନକୁ ଗଡାଇ ଚାଲିଛନ୍ତି। ୩ ବର୍ଷ ଧରି କାଉନସିଲ୍ ନଥିବା ଯୋଗୁ ଅଧ୍ୟକ୍ଷଙ୍କ ସ୍ଥାନରେ ଜିଲ୍ଲାପାଳ ପ୍ରଶାସକ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ସରକାରୀ ବ୍ୟସ୍ତତା ଯୋଗୁ ପୌର ପରିଷଦର ବିକାଶ କାର୍ଯ୍ୟକୁ ସଠିକ୍ ଭାବରେ ସମୀକ୍ଷା କରି ପାରୁନାହାଁନ୍ତି। ଏପରି ସ୍ଥିତିରେ ପୌର ନିର୍ବାଚନ ହେବା ଜରୁରୀ ହୋଇ ପଡିଥିବାରୁ ତୁରନ୍ତ ନିର୍ବାଚନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ହିଁ ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହୋଇପାରନ୍ତି। ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ଘୋଷଣା କରିବା ପରେ ବିଜେଡ଼ି-ବିଜେପି-କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦଳୀୟ ଟିକେଟ୍ ହାତେଇବାକୁ ଦଳର ବରିଷ୍ଠ ନେତାଙ୍କୁ ଧରି ଆଶାୟୀ ଲବିକୁ ଜୋରଦାର୍ କଲେଣି। ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ ଥିବା ନେତା ମଧ୍ୟ ଆଶା ବାନ୍ଧିଛନ୍ତି ଟିକେଟ୍ ପାଇଁ। ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ଅଧିକାରୀ ମଧ୍ୟ ଏହି ତାଲିକାରୁ ବାଦ ପଡି ନାହାଁନ୍ତି।

ରାୟଗଡ଼ା ପୌର ନିର୍ବାଚନକୁ ସମୀକ୍ଷା କଲେ, ୧୯୭୯ରେ ହୋଇଥିବା ସିଧାସଳଖ ପୌର ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ର କଂଗ୍ରେସର ନୀଳକଣ୍ଠ ଦାଶଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ୧୯୯୨ ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ର କଂଗ୍ରେସର ପୂର୍ବତନ ପୌରାଧ୍ୟକ୍ଷ ନରସିଂହ କୁମୁନ୍ଦନଙ୍କ ପରାସ୍ତ କରିଥିଲେ। ଏହା ପରେ ୧୯୯୮ରୁ ସିଧାସଳଖ ନିର୍ବାଚନ ବଦଳରେ କାଉନସିଲ ସଂଖ୍ୟା ଗରିଷ୍ଠତାକୁ ନେଇ ନିର୍ବାଚନ ହୋଇ ଆସୁଛି। ୨୪ ୱାର୍ଡ ବିଶିଷ୍ଟ ରାୟଗଡ଼ା ପୌର ପରିଷଦ ୧୯୯୮ରୁ ବିଜେଡ଼ି ହାତରେ ରହିଛି।

୧୯୯୮ରେ ବିଜେଡ଼ିର କୃଷ୍ଣଚନ୍ଦ୍ର ବକ୍ସିପାତ୍ର, ୨୦୦୩ ରେ ରମା ଗୌରୀ, ୨୦୦୮ ରେ ରାଇସିଂହ ବିଡିକା, ୨୦୧୩ ରେ ଭି. ଗୌରୀ ଜୟନ୍ତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୨ରେ ହେବାକୁ ଥିବା ନିର୍ବାଚନରେ ସ୍ଥିତି କିନ୍ତୁ ଜଟିଳ ହୋଇପାରେ। ୩ ପ୍ରମୁଖ ଦଳ ସଂଗଠନ ଓ ଲୋକ ସଂପର୍କକୁ ସୁଦୃଢ଼ କରୁଥିବାରୁ ନିର୍ବାଚନ କଡା ଟକ୍କର୍ ହେବ। ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ପୌର ପରିଷଦରେ ବିଜେଡ଼ି ସର୍ବାଧିକ ଭୋଟ ପାଇଥିବା ବେଳେ ବିଜେପି ଦ୍ବିତୀୟ, କଂଗ୍ରେସ ତୃତୀୟ ସ୍ଥାନରେ ଥିଲା। ଏବେ କଂଗ୍ରେସ ହାତରେ କୋରାପୁଟ ସାଂସଦ ପଦବୀ ରହିଥିବାରୁ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିପାରେ। ସେହିପରି ବିଜେଡ଼ି ବିଧାନସଭା ନିର୍ବାଚନ ହାରିଥିବାରୁ ଦଳ ପାଇଁ ଏହା ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି। ସହରୀ ଭୋଟ ହାତେଇବାରେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛି। ତେବେ ଏ ସବୁ ସତ୍ତ୍ବେ ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହେବା ଭଳି ଦଳୀୟ ରାଜନୀତିରୁ ଦୂରରେ ରହି ଗୋପରେ ବଢ଼ୁଥିବା ପ୍ରାର୍ଥୀକୁ ଭୋଟର ଯେ ମୋହର ନ ମାରିବେ ତାହା କହି ହେବନି?

ସମ୍ବନ୍ଧିତ ଖବର