ପାଣି ଅଭାବରୁ ହଜାର ହଜାର ଏକର ଚାଷ ଜମି ମାଟି ଫାଟି ଆଁ

ରାଜ୍ୟ ବିଜେପିର ପାଞ୍ଚ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କଲେ କନ୍ଧମାଳର ମରୁଡ଼ି ପ୍ରଭାବିତ ଅଞ୍ଚଳ

ଘୁ. ଉଦୟଗିରି: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କ୍ଷେତରେ ପାଣି ନାହିଁ। କନ୍ଧମାଳ ଜିଲ୍ଲାରେ ମଧ୍ୟ ବର୍ଷା ଅଭାବରୁ ଚାଷୀମାନେ ସଂକଟରେ ଅବସ୍ଥାରେ ଅଛନ୍ତି। ଜିଲ୍ଲାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଚାଷୀମାନେ ବର୍ଷାକୁ ଅନେଇ ରହିଛନ୍ତି। ଚାଷୀଙ୍କ ସମସ୍ୟା ଉପରେ ଅବଗତ ହେବା ପାଇଁ ଆଜି ରାଜ୍ୟ ବିଜେପିର ପାଞ୍ଚ ଜଣିଆ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି।

ବିଜେପିର ପ୍ରତିନିଧି ଦଳ କଳିଙ୍ଗା ପଞ୍ଚାୟତର କୁରୁମିଙ୍ଗିଆ, ସୁଜେଲି, ମାଳିକାପଡି ପଂଚାୟତର ସିର୍କୀ ନିକଟବର୍ତ୍ତୀ ଅଞ୍ଚଳ, ଘୁ.ଉଦୟଗିରି ସହରର ବାଲୁପାଙ୍ଗା, କନବାଗେରି ପ୍ରଭୁତି ଅଞ୍ଚଳ ବୁଲି ବର୍ଷା ଅଭାବରୁ ପଡ଼ିଆ ପଡ଼ିଥିବା, ପାଣି ଅଭାବରୁ ଜମିରେ ତଳି ପୋଡ଼ି ଯାଇଥିବା, ଜମି ରୁଆ ହେବା ପରେ ଚାଷ ଜମିରେ ପାଣି ନଥିବାରୁ ଆଁ ହୋଇଥିବା ଦୃଶ୍ୟ ଦେଖିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କ ସହ ଚଳିତ ବର୍ଷ ଚାଷରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ।

ଜଳସେଚନ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ବହୁ ଜମିକୁ ପାଣି ପହଂଚୁ ନଥିବା କେନାଲ ଅଛି ପାଣି ଆସୁନି। ପାଖରେ ନାଳ ଅଛି ତାର ପାଣି ବୋହି ଯାଉଛି। ତାକୁ ସଠିକ ବିନିଯୋଗ କରାଯାଇପାରୁନି ଚାଷ ପାଇଁ ଯାହାର ପରିଣାମ ଭୋଗୁଛନ୍ତି ଚାଷୀ ବୋଲି ବିଜେପି ଦଳର ନେତା ମାନେ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି କନ୍ଧମାଳ ଜିଲ୍ଲାର ଚାଷୀ ଦୁଃଖରେ ଅଛି। ଚାଷୀ ଚିନ୍ତା କରୁଛି ଆଗାମୀ ଦିନରେ ଖାଇବ କଣ ବଞ୍ଚିବ କେମିତି?

ଏହାପରେ ଏହି ପ୍ରତିନିଧି ଦଳ ଟିକାବାଲି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଯଥା ପିକରଡ଼ି, ଗଦଗୁଡାର ବିଭିନ୍ନ ଗାଁ ବୁଲି ମରୁଡ଼ି ପ୍ରଭାବିତ ଚାଷ ଜମିକୁ ଯାଇ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ କ୍ଷୟ କ୍ଷତିର ଆକଳନ କରି ଏକ ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ ଏହି ପ୍ରତିନିଧି ଦଳ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶ କ୍ରମେ ଦଳର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜ୍ୟ ପ୍ରବକ୍ତା ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ବିରଞ୍ଚି ତ୍ରିପାଠୀଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ରାଜ୍ୟ କାର୍ଯ୍ୟଜାରିଣୀ ସଦସ୍ୟ ରଞ୍ଜନ ପଟେଲ ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ପହଂଚିବା ପରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବରିଷ୍ଠ ବିଜେପି ନେତା ଭୀମସେନ ପ୍ରଧାନ, ନଗର ବିଜେପି ସଭାପତି ଉଦେଶନ ପ୍ରଧାନ, ଗ୍ରାମୀଣ ସଭାପତି ମାୟାବନ୍ଧୁ ପ୍ରଧାନ, ଅବନେଶ୍ୱର ପ୍ରଧାନ, ପ୍ରଶାନ୍ତ ବଗର୍ତ୍ତି, ମାନଗୋବିନ୍ଦ ପ୍ରଧାନ, ବସନ୍ତ ପ୍ରଧାନ ପ୍ରମୁଖ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର