ସାନଲୁକୁଟିରେ ସରିଲା ପୋଲ ନିର୍ମାଣ, ଆରମ୍ଭ କଲା ଆନ୍ଧ୍ର, ଶେଷ କଲା ଓଡ଼ିଶା

ଦୁଇ ରାଜ୍ୟ ସୀମାନ୍ତବାସୀଙ୍କ ପାଇଁ କୋହଳ ହେଲା ପ୍ରଶାସନ

ରାୟଗଡ଼ା: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମ ସାନଲୁକୁଟିରେ ଆନ୍ଧ୍ର ନିର୍ମାଣ କରୁଥିବା ପୋଲ କାମ ଶେଷ ହୋଇଛି। ପୋଲର ନିର୍ମାଣ କାମକୁ ଆନ୍ଧ୍ର ଆରମ୍ଭ କରିଥିବା ବେଳେ କାମ ଶେଷ କରିଛି ଓଡ଼ିଶା। ଦୁଇ ରାଜ୍ୟର ସୀମାନ୍ତ ଗ୍ରାମବାସୀଙ୍କ ହିତ ଦୃଷ୍ଟିରୁ ଅଧାପନ୍ତରିଆ ପୋଲକୁ ଶେଷ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ପୋଲ ନିର୍ମାଣ ‌ଶେଷ ହେବା ପରେ ଉଭୟ ରାଜ୍ୟର ୪ ସୀମାନ୍ତ ଗ୍ରାମବାସୀ ଖୁସି ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ କୃତଜ୍ଞତା ଜଣାଇଛନ୍ତି। ରାୟଗଡ଼ା ବ୍ଲକ ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗାଁ ଦେଇ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ବୀରାପାଡୁ ପଞ୍ଚାୟତର ଲାଡ୍ଡା ସମେତ ୪ଟି ଗ୍ରାମ ରହିଛି। ଏହି ଗାଁକୁ ଗୁଡ଼ିକୁ ଯାତାୟାତ ପାଇଁ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି ଆନ୍ଧ୍ରର ଗ୍ରାମବାସୀ। ଦୁଇ ରାଜ୍ୟର ସୀମାନ୍ତ ଗାଁକୁ ଯୋଗାଯୋଗ କରୁଥିବା ରାସ୍ତାରେ ରହିଛି ନାଳ। ନାଳରେ ବର୍ଷର ୫ ମାସ ପାଣି ରହୁଥିବାରୁ ଗ୍ରାମବାସୀ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଆନ୍ଧ୍ର ପ୍ରଶାସନ ୨୦୨୧ ଫେବ୍ରୁଆରୀ ମାସରେ ସାନଲୁକୁଟି ଗାଁ ନିକଟରେ ଓଡ଼ିଶା ଜମି ଉପରେ ଥିବା ନାଳରେ ପୋଲ ନିର୍ମାଣ ଆରମ୍ଭ କରିଥିଲା। ଯାତାୟାତ ସୁବିଧା ଦୃଷ୍ଟିରୁ ଓଡ଼ିଶାର ସାନଲୁକୁଟି ଗ୍ରାମବାସୀ ଆନ୍ଧ୍ରକୁ ସମର୍ଥନ କରିବା ଯୋଗୁ ବିବାଦୀୟ ନିର୍ମାଣ ସମ୍ପର୍କରେ ଜାଣିପାରିନଥିଲା ରାୟଗଡ଼ା ଜିଲ୍ଲା ପ୍ରଶାସନ। କୋଟିଆରେ ସୀମା ବିବାଦ ଉଗ୍ର ହେବା ପରେ ଆନ୍ଧ୍ରର ଏହି ବିବାଦୀୟ ନିର୍ମାଣ ସମ୍ପର୍କରେ ଜଣା ପଡ଼ିଥିଲା।

ପ୍ରଶାସନର ନଜରକୁ ଘଟଣା ଆସିବା ପରେ ରାୟଗଡ଼ା ବ୍ଲକ ପ୍ରଶାସନ ଫେବ୍ରୁଆରି ମାସରେ ଆନ୍ଧ୍ର ପ୍ରଶାସନକୁ ତାଗିଦ୍‌ କରିବା ସହ ପୋଲ ନିର୍ମାଣକୁ ବନ୍ଦ ରଖିଥିଲା। ପ୍ରଶାସନର ତାଗିଦ୍ ପରେ ଆନ୍ଧ୍ର କିଛି ଦିନ ଚୁପ୍ ରହିଥିବା ବେଳେ ଜୁନ୍ ମାସରେ ପୁଣି କାମ ଆରମ୍ଭ କରି ପୋଲର ୪ଟି ପିଲର ନିର୍ମାଣ ସାରି ଦେଇଥିଲା। ସେଥି ମଧ୍ୟରୁ ଆନ୍ଧ୍ର ପାର୍ଶ୍ବରେ ଥିବା ଦୁଇଟି ପିଲର ମଧ୍ୟରେ ଛାତ ନିର୍ମାଣ ଶେଷ ହୋଇଥିଲା। ଓଡ଼ିଶା ପାର୍ଶ୍ବରେ ଥିବା ଅନ୍ୟ ଦୁଇ ପିଲର ମଧ୍ୟରେ ଛାତ ପକାଇବା ସହ ଆପ୍ରୋଚ୍ ରୋଡ୍ ନିର୍ମାଣ ଲାଗି ଅନୁମତି ନେବାକୁ ଆନ୍ଧ୍ରର ବିଜୟନଗରମ ପ୍ରଶାସନ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପରେ ପ୍ରଶାସନ ପୋଲ ନିର୍ମାଣ ସମ୍ପର୍କରେ ଜାଣି ପୁଣି କାମକୁ ବନ୍ଦ ରଖିଥିଲା। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦେଶରେ ରାୟଗଡ଼ା ବ୍ଲକ ଓ ତହସିଲ କର୍ତ୍ତୃପକ୍ଷ ସାନଲୁକୁଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଓଡ଼ିଶା ସୀମାର ୧୦ରୁ ୧୫ ଫୁଟ ଭିତରେ ଆନ୍ଧ୍ର ପୋଲ ନିର୍ମାଣ କରିଥିବା ପୋଲର ପୋଲର ଦୁଇଟି ପିଲର ଏବଂ ଆପ୍ରୋଚ ରୋଡ ରହିଥିବା ଜଣା ପଡିଥିଲା। ଏହା ପରେ ଦୁଇ ରାଜ୍ୟର ସୀମାନ୍ତବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡ଼ିଶା ଭାଗରେ ଥିବା ପୋଲ କାମ ଓ ଆପ୍ରୋଚ୍ ରୋଡର ନିର୍ମାଣ କାମ ସାରିଛି ରାୟଗଡ଼ା ବ୍ଲକ୍ ପ୍ରଶାସନ। ଗତ ୪ ଦିନ ତଳେ ପୋଲ ଓ ଆପ୍ରୋଚ ରୋଡ୍ ନିର୍ମାଣ ଶେଷ ହେବା ପରେ ଦୁଇ ରାଜ୍ୟର ସୀମାନ୍ତ ଗାଁକୁ ସବୁଦିନିଆ ଯାତାୟାତ ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର