ଶଗଡ଼ ଗାଏବ, ସ୍ଥାନ ନେଲା ଟ୍ରାକ୍ଟର : କୃଷି କାର୍ଯ୍ୟ ଏବେ ଅତ୍ୟାଧୁନିକ କୃଷିଯନ୍ତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର

ଜୟପୁର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜନଜୀବନ ସହ ସବୁ ବେଳେ ଜଡ଼ିତ ଥିବା ଶଗଡ଼ ଏବେ ଗାଏବ। ଗ୍ରାମାଂଚଳର ପ୍ରମୁଖ ପରିବହନର ପ୍ରମୁଖ ତଥା ଏକମାତ୍ର ମାଧ୍ୟମ ସମୟ ସୁଅରେ ନିଶ୍ଚିନ୍ନ ହୋଇଯାଇଛି। ଗ୍ରାମାଂଚଳ ଗୁଡିକରେ ବାହାଘର, ପର୍ବପର୍ବାଣୀ, ଚାଷ କାମ ଠାରୁ ଆରମ୍ଭ କରି ସାପ୍ତାହିକ ହାଟ, ଘର ନିର୍ମାଣ ଠାରୁ ଆରମ୍ଭ କରି ରୋଗୀଙ୍କୁ ନେଇ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସାହାରା ଥିବା ଶଗଡ଼ ଏବେ ଯନ୍ତ୍ର ଚାଳିତ ଯୁଗରେ ଲୋକକଥା ପାଲଟିବା ଅବସ୍ଥାକୁ ପଳାଇ ଆସିଲାଣି। ଚାଷକାମରେ ପ୍ରମୁଖ ଭୁମିକା ଲାଭ କରିଥିବା ଶଗଡ଼ ବଦଳରେ ଲୋକେ ଏବେ ଯନ୍ତ୍ରଚାଳିତ ଟ୍ରାକ୍ଟର, କିମ୍ବା ଅନ୍ୟ ଗାଡିକୁ ପ୍ରାଥମିକତା ଦେବାରେ ଲାଗିଛନ୍ତି। ଗ୍ରାମ୍ୟ ଜଙ୍ଗଲରୁ କାଠ ବୋହି ଆଣିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଶଗଡ଼ ନିର୍ମାଣ ପାଇଁ ଏବେ କାଠ ମିଳୁନି।

ଗ୍ରାମାଂଚଳରେ ଶଗଡ଼ ନିର୍ମାଣ କରୁଥିବା ବଢ଼େଇ ମାନେ ବି ଏବେ ଆଉ ପୂର୍ବ ଭଳି ଶଗଡ଼ ନିର୍ମାଣ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ସେଭଳି ଶଗଡ଼କୁ ଚଳାଇବାରେ ପ୍ରମୁଖ ଭୁମିକା ନିଭାଉଥିବା ବଳଦ ଓମଇଁଷି ସଂଖ୍ୟା ବି ବହୁ ମାତ୍ରାରେ କମି ଯାଇଛି। ଶଗଡ଼ ପାଇଁ ଲାଗୁଥିବା ବଳଦ ଓ ମଇଁଷିକୁ ଅନ୍ୟ ସମୟରେ ଜମିରେ ହଳ କରିବା କାମରେ ନିୟୋଜିତ କରାଯାଉଥିଲା। ଏହା ବଦଳରେ ଏବେ ଶଗଡ଼ର ସ୍ଥାନ ଟ୍ରାକ୍ଟର , ପାୱରଟିଲର, ଟାଟା ମ୍ୟାଜିକ୍ ଆଦି ନେଲେଣି। ଧିରେ ଧିରେ ଶଗଡ଼ ହଜିଯାଉଥିବା ବେଳେ ଆଉ କିଛି ବର୍ଷ ଗଲେ ଆଗାମୀ ପିଢ଼ୀ କେବଳ ଛବିରେ ହିଁ ଦେଖିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସେଭଳି ଗାଇ କିମ୍ବା ବଳଦ ହଳ ଦ୍ବାରା ଜମିକୁ ଲଙ୍ଗଳରେ କସି ଧାନ ରୁଆ, ବୁଣା ପାଇଁ ଜମିକୁ ପ୍ରସ୍ତୁତ କରାଯାଉଥିଲା। ତାହା ବି ଧିରେ ଧିରେ ହଜିବା ସହ ଟ୍ରାକ୍ଟର ଓ ପାୱର ଟିଲରରେ ଏହା କରାଯାଉଛି। ମହିଳା ମାନେ ଧାନ କାଟୁଥିବା ବେଳେ ପୁରୁଷ ମାନେ ଏହାକୁ ବୋହି ଶଗଡ଼ରେ କିମ୍ବା ଚାଳି ଚାଳି ଗାଁରେ ଥିବା ଜମି ମାଲିକଙ୍କ ଖଳାକୁ ବୋହୁଥିଲେ। ତେବେ ତାହା ଏବେ ସଂପୁର୍ଣ୍ଣ ରୁପେ ବନ୍ଦ ହେବା ସହ କିଛିସ୍ଥାନରେ ଧାନ କଟା ଏବଂ ବୁହାଯାଉଥିଲେ ହେଁ ଅଧିକାଂଶ ସ୍ଥାନରେ ଧାନ କଟା, ଅମଳ ଆଦି କରିବା କୃଷି ଯନ୍ତ୍ରପାତି ଦ୍ବାରା କରାଯାଉଛି। ଅଧିବାସୀ ଅଧ୍ୟୁଷିତ ତଥା ଚାଷୀ ପ୍ରଦାନ କୋରାପୁଟ ଜିଲ୍ଲାରେ ଏବେ ଏହା ଚାଷୀଙ୍କୁ ପ୍ରମୁଖ ପସନ୍ଦ ପାଲଟିଛି।

ଦୀର୍ଘ ଦିନ ଧରି ଧାନକୁ ଖଳାରେ ନେଇ ପକାଇ ରଖିବା ଏବଂ ରାତି ଦିନ ଜଗିବା ସହ ଧାନ ଅମଳ ପର୍ଯ୍ୟନ୍ତ ସମୟ ଅତିବାହିତ କରିବା ସହ ବର୍ଷା , ଶୀତ ସହି ଏହାକୁ ଜଗି ଧାନ ଅମଳ କରିବାକୁ ପଡ଼ୁଥିଲା। ଏବେ ଯୁଗ ବଦଳିଛି। ଏହା ସାଙ୍ଗକୁ ଅତ୍ୟାଧୁନିକ ପ୍ରଣାଳୀର କୃଷି ଯନ୍ତ୍ରପାତି ବି ବାହାରିଛି। ତେଣୁ ଚାଷୀ ମାନେ ସମୟ ନଷ୍ଟ ନ କରି ଅତ୍ୟାଧୁନିକ ପ୍ରଣାଳୀକୁ ଆପଣାଇଛନ୍ତି। ଧିରେ ଧିରେ ଧାନଚାଷକୁ ସଂପୁର୍ଣ୍ଣ ରୁପେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଦ୍ବାରା ହିଁ କରାଯିବ ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର