ରାୟଗଡ଼ାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିମ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର କଲେ ସମୀକ୍ଷା

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବାର ମାନ ଓ ଭିତ୍ତିଭୂମିର ସ୍ଥିତି ପରଖିବାକୁ ଆସିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିମ୍। ଆସିଷ୍ଟାଣ୍ଟ୍ କମିଶନର ପଦ୍ମିନୀ କଶପ୍ୟଙ୍କ ନେତୃତ୍ବରେ ଆସିଥିବା ୯ ଜଣିଆ ଟିମ୍ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି। ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଯୋଜନା ମୁଖ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ସୂଚକାଙ୍କରେ ରାୟଗଡ଼ା ସ୍ଥାନ ପାଇଥିବାରୁ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରତି ମାସରେ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲାର ସ୍ଥିତି ସମୀକ୍ଷା କରୁଥିବା ବେଳେ ଶିଶୁ, ମାତୃ ମୃତ୍ୟୁହାର ସମେତ ଅନ୍ୟ କିଛି କ୍ଷେତ୍ରରେ ପ୍ରଦର୍ଶନ ସନ୍ତୋଷଜନକ ନଥିବାରୁ ସେହି କ୍ଷେତ୍ରରେ କିପରି ଉନ୍ନତି ଆସି ପାରିବ ସେ ସଂପର୍କରେ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଛନ୍ତି। ଏଥି ସହିତ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ସମେତ ଅନ୍ୟ ଯୋଜନାରେ ଚାଲିଥିବା କାର୍ଯ୍ୟକ୍ରମର ସବିଶେଷ ସମୀକ୍ଷା କରାଯିବ ବୋଲି ପଦ୍ମିନୀ କଶ୍ୟପ ସୂଚନା ଦେଇଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ଠିକ୍ ସମୟରେ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ସେ ସଂପର୍କରେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଟିମ ଯିବ ।

କେନ୍ଦ୍ରର ୯ଜଣିଆ ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡା. ସୁଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ରାୟଗଡ଼ାରେ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟ ସେବା ଓ ଭିତିଭୂମି କ୍ଷେତ୍ରରେ ଥିବା ସମସ୍ତ ସୁବିଧା ଓ ଅସୁବିଧା ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ଟିମ୍କୁ ତଥ୍ୟ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ।  ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଡିପିଏମ ରାଜେଶ୍ୱରରାଓ ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗର ସମସ୍ତ ଏଡିଏମଓ, ବରିଷ୍ଠ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ପିଏ ଆଇଟିଡିଏ ଟୁକୁ ବାରିକ୍ ଓ ଅନ୍ୟ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର