ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

କୋରାପୁଟ: ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କୋରାପୁଟର ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମହାମହିମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମୂହର ମୂଖ୍ୟ ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯ର ବିଧି ୨(୧) ଅନୁଯାୟୀ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ତ୍ରିପାଠୀ ଯୋଗଦେବା ତାରିଖଠାରୁ ସତୁରି ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ଭାବେ ଦାୟିତ୍ୱରେ ରହିବେ ବୋଲି ୧୩ ସେପ୍ଟେମ୍ବର ୨୦୨୨ ରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରୁ ପ୍ରାପ୍ତ ବିଜ୍ଞପ୍ତିରେ କୁହାଯାଇଛି । ୨୮ ଜୁଲାଇ ୨୦୨୧ ରେ ପ୍ରଫେସର ଆଇ ରାମବ୍ରହ୍ମମଙ୍କ ଦୁଃଖଦ ବିୟୋଗ ପରେ ମଧ୍ୟବର୍ତ୍ତୀକାଳୀନ ଅବଧି ପାଇଁ ଭାରପ୍ରାପ୍ତ କୁଳପତି ଭାବରେ କାର୍ଯ୍ୟ କରିଥିବା ପ୍ରଫେସର ଏସ କେ ପଳିତାଙ୍କ ଠାରୁ ସେ ଏହି ଦାୟୀତ୍ଵ ଗ୍ରହଣ କରିଛନ୍ତି । ପ୍ରଫେସର ତ୍ରିପାଠୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଚତୁର୍ଥତମ ସ୍ଥାୟୀ କୁଳପତି । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗଦେବା ପୂର୍ବରୁ ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀର, ହିନ୍ଦୀ ବିଭାଗରେ ବରିଷ୍ଠ ପ୍ରଫେସର ଥିଲେ। ମଧ୍ୟଯୁଗୀୟ ଏବଂ ଆଧୁନିକ ହିନ୍ଦୀ କବିତା ହେଉଛି ତାଙ୍କର ବିଶେଷ ବିଷୟ । ପ୍ରଫେସର ତ୍ରିପାଠୀଙ୍କର ତେତିଶୀ ବର୍ଷର ପ୍ରଭାବଶାଳୀ ଏକାଡେମିକ୍ ସହିତ ବିଭିନ୍ନ ପ୍ରଶାସନିକ କ୍ଷମତାରେ ଅନୁଭୂତି ରହିଛି ।

ଶାରୀରିକ ଶିକ୍ଷା, କ୍ରୀଡା, ଜାତୀୟ ସେବା ଏବଂ ଛାତ୍ର କଲ୍ୟାଣର ନିର୍ଦ୍ଦେଶକ ଭାବେ; ଆନ୍ତର୍ଜାତୀୟ ସହଯୋଗ (ନୂତନ ଶିକ୍ଷା ନୀତି ଅନୁସରଣ)ର ସଂଯୋଜକ ଭାବେ; ଏକାଡେମିକ୍ କାର୍ଯ୍ୟର ଭାରପ୍ରାପ୍ତ ଅଧିକାରୀ ଭାବେ; ହିନ୍ଦୀ ବିଭାଗ ର ମୂଖ୍ୟ ଭାବେ; ହିନ୍ଦୀ ଅଧ୍ୟୟନ ବୋର୍ଡର ଅଧ୍ୟକ୍ଷ, ଭାବେ; ଟାଗୋର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ ଆଣ୍ଡ ଏଜୁକେସନ୍ ଅଧୀନରେ ଥିବା ହିନ୍ଦୀ ଶିକ୍ଷାଦାନ କେନ୍ଦ୍ରର ; ସମ୍ମାନଜନକ ନିର୍ଦ୍ଦେଶକ ଭାବେ , ବିଶ୍ୱ-ଭାରତୀ ଶୌକ୍ଷକ ସଂଘ ର ସଭାପତି ଭାବେ ସେ କାର୍ଯ୍ୟ କରିଛନ୍ତି । ସେ ଦେଶରେ ବହୁ ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ବୈଧାନିକ କମିଟି, ପରାମର୍ଶଦାତା କମିଟି ଏବଂ ଚୟନ କମିଟିରେ ଭାରତର ରାଷ୍ଟ୍ରପତି ଙ୍କ ମନୋନୀତ ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ ଦେଶର ବିଭିନ୍ନ ଅନୁଷ୍ଠାନ ଦ୍ବାରା ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯଥା ବିହାରର ଦେଓଘରସ୍ଥିତ ହିନ୍ଦୀ ବିଦ୍ୟାପୀଠ ଦ୍ବାରା ସାହିତ୍ୟ ଭୂଷଣ ସମ୍ମାନ, ଭୁବନେଶ୍ବରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଦ୍ବାରା ହିନ୍ଦୀ ସେବୀ ସମ୍ମାନ; ବିହାରର ଦେଓଘରସ୍ଥିତ ମହାବିଦ୍ୟା ବି ଦ୍ବାରା ଭାଷା ସେତୁ ସମ୍ମାନ; ଗାହମାର ୱେଲଫେୟାର୍ ସୋସାଇଟି, ୟୁ.ପି.ରୁ ଶିକ୍ଷକ ସମ୍ମାନ ପୁରସ୍କାର; ସୂର୍ଯ୍ୟ ସନ୍ଥାନ, ନୋଏଡା, ଦିଲ୍ଲୀରୁ ସୂର୍ଯ୍ୟ ଅନନ୍ତରଭାରତୀ ଭାଷା ସମ୍ମାନ ପୁରସ୍କାର; ବିହାର ରାଷ୍ଟ୍ର ଭାଷା ପରିଷଦ, ପାଟନାରୁ ହିନ୍ଦୀ ସେଭି ସମ୍ମାନ ପୁରସ୍କାର; ଶ୍ରୀନାଥଦ୍ୱାର, ରାଜସ୍ଥାନର ସାହିତ୍ୟ ମଣ୍ଡଳ ଦ୍ବାରା ଶ୍ରୀ ଗଣେଶ ବଲ୍ଲଭୀ ରଥୀ ମେମୋରିଆଲ ପୁରସ୍କାର, ମୁନିଶୱାନଦତ୍ତ ପିଜି କଲେଜ, ପ୍ରତାପଗଡ (ୟୁପି)ରୁ ଦ୍ବାରା ପଣ୍ଡିତ ବିଦ୍ୟାଶଙ୍କର ପାଣ୍ଡେ ସାହିତ୍ୟ ବିଭୂଷଣ ସମ୍ମାନ ଇତ୍ୟାଦି । ଏହାଛଡା ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, କୋଲକାତାର ରାଜା ରାମମୋହନ ରୟ ଲାଇବ୍ରେରୀ ଫାଉଣ୍ଡେସନର ଜଣେ ସମ୍ମାନଜନକ ସଦସ୍ୟ ଅଟନ୍ତି ।

୧୯୬୦ ମସିହାରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅଧୀନରେ ଥିବା ଜଗନ୍ନାଥପୁର, ବାସନ୍ତିଆ , ମାରିଗାଓଁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ବିଶ୍ୱ ଭାରତୀରୁ ହିନ୍ଦୀରେ ପିଏଚ୍. ଡି, ଓ ଏମ୍ ଏ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ। ସେ ଛଅଟି ରୁ ଅଧିକ ପୁସ୍ତକ ପ୍ରକାଶ କରିଛନ୍ତି ଯେଉଁଥିରେ କବୀର କି ଭକ୍ତ, ସିଆରାମ ତିୱାରୀ: ବ୍ୟକ୍ତିତ୍ୱ ଏବଂ କ୍ରିତିତ୍ୱ, ନୟି କବିତାକା ପ୍ରତିପାଦ୍ୟ, ଚିନ୍ତମଣି ସଞ୍ଚୟନ, କ୍ରିଷନ ଚନ୍ଦର କି ପ୍ରତିନିଧି କହାନିଆ, ଆତ୍ମ ନିର୍ଭର ଭାରତ (ବଙ୍ଗାଳୀ ସଂସ୍କରଣ) ଅନ୍ତର୍ଭୁକ୍ତ। ସେ ୪ ଟି ସମ୍ପାଦିତ ପୁସ୍ତକ ଏବଂ 5ଟି ଅନୁବାଦ ପୁସ୍ତକ ପ୍ରକାଶ କରିଛନ୍ତି । ତାଙ୍କର ଅନେକ ଗବେଷଣାତ୍ମକ ରଚନା ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି | ତାଙ୍କ ଅଧୀନରେ ୧୭ ରୁ ଅଧିକ ସ୍କୋଲାର ଗବେଷଣାତ୍ମକ ପ୍ରକଳ୍ପ ସମାପ୍ତ କରିସାରିଛନ୍ତି। ପ୍ରଫେସର ତ୍ରିପାଠୀ ‘ଉତ୍କଳ ମଣି’ ଗୋପବନ୍ଧୁ ଦାସଙ୍କ ବିଚାରଧାରାକୁ ଜନାଦୃତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ‘ଗୋପବନ୍ଧୁ ରଚନାବଳି (ମୋଟ-୦୮ଭଲ୍ୟୁମ୍ )ର ଅନୁବାଦ ପ୍ରଫେସର ତ୍ରିପାଠୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟ ସମ୍ପାଦନାରେ ଏନବିଟି ଦ୍ୱାରା ପ୍ରକାଶିତ ହେଉଅଛି ।

ସମ୍ବନ୍ଧିତ ଖବର