ବିଡ଼ମ୍ବିତ କଅଁଳ ବୟସର ଅସୁମାରୀ ସ୍ବପ୍ନ

ଜଗତସିଂହପୁର: କଅଁଳ ବୟସରେ ଆଶା ଅସୁମାରୀ। କିନ୍ତୁ ବିଧିର ବିଡ଼ମ୍ବନା। ଭାଇ ଭଉଣୀଙ୍କ କଅଁଳ ବୟସ ବିଡ଼ମ୍ବିତ। ଅଜଣାରୋଗ ଛଡ଼ାଇ ନେବାକୁ ବସିଛି ଭାଗ୍ୟ, ଭବିଷ୍ୟତ। ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହୋଇଯାଉଛି ଦୁହିଁଙ୍କ ଶରୀର। ଦଣ୍ଡେ ଚାଲିବାକୁ ବଳ ନାହିଁ। ଏହି ଦୁଇ ପିଲାଙ୍କୁ ଦେଖି ବାପା ମା’ଙ୍କ ଆଖିରେ ମଧ୍ୟ ଲୁହ ରହୁ ନାହିଁ।
ବନ୍ଦର ନଗରୀ ପାରାଦୀପ ଅଠରବାଙ୍କୀ ଗୋପିନାଥ କଲୋନିରେ ସପରିବାର ରହୁଥିବା ଶିବ ଶଙ୍କର ନାୟକଙ୍କ ଦୁଇ ପୁଅ ଝିଅ ଜନ୍ମ ହେବା ପରେ ଶିବ ଶଙ୍କର ଓ ତାଙ୍କ ପତ୍ନୀ ନିରୁପମା ବେଶ୍ ଖୁସି ହୋଇ ଯାଇଥିଲେ। ଦୁଇ ପୁଅଝିଅଙ୍କ ଖେଳ ଦେଖି ପୂରା ପରିବାର ଖୁସି ହୋଇଯାଉଥିଲା। ହଠାତ୍ ଏହି ଖୁସିର ମାହୋଲରେ କଳାବାଦଲ ଛାଇ ଯାଇଥିଲା।

ମାତ୍ର ଦୁଇଜଣଙ୍କୁ ଯେତେବେଳେ ଦୁଇ ବର୍ଷ ହୋଇଥିଲା, ହଠାତ ଏକ ଅଜଣା ରୋଗରେ ସେମାନେ ଆକ୍ରାନ୍ତ ହୋଇପଡ଼ିଥିଲେ। ସେମାନଙ୍କ ହାତ ଗୋଡ଼ ବଙ୍କା ହୋଇଯିବା ସହ ଶୀର୍ଣ୍ଣ ହୋଇଯାଇଥିଲା। ଚଳପ୍ରଚଳ ମୁସ୍କିଲ ହୋଇପଡ଼ିଥିଲା। ଧୀରେ ଧୀରେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅକାମି ହେବାକୁ ଲାଗିଥିଲା। ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟରତ ଶିବ ଶଙ୍କର ନିଜର ସ୍ବଳ୍ପ ରୋଜଗାରରେ ସେମାନଙ୍କୁ କଟକ, ଭୁବନେଶ୍ବର ଓ ବାଙ୍ଗାଲୋର ପ୍ରଭୃତି ବଡ଼ବଡ଼ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଉଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ରୋଗ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରୁ ନାହିଁ। ଫଳରେ ଭଗବାନଙ୍କ ଭରସାରେ ରହିବା ଛଡ଼ା ଶିବ ଶଙ୍କରଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ। ବଡ଼ ଝିଅ ମାମୁନିକୁ ଏବେ ୧୩ ବର୍ଷ ଓ ପୁଅ ସାନୁକୁ ୧୧ ବର୍ଷ ହେଲାଣି।

ଅଠରବାଙ୍କୀ ମା’ ଅମ୍ବିକା ସ୍କୁଲରେ ପଂଚମ ଶ୍ରେଣୀରେ ପଡ଼ୁଥିବା ମାମୁନି ବଡ଼ ହେଲେ ଜିଲ୍ଲାପାଳ ହେବାକୁ ସ୍ବପ୍ନ ଦେଖୁଥିବା ବେଳେ ସୋନୁ ଚତୁର୍ଥ ଶ୍ରେଣୀରେ ପଢ଼ୁଛି। ବିଛଣାରେ ଶୋଇ ଝାଡ଼ାପରିସ୍ରା କରୁଥିବା ବେଳେ ହୁଇଲ ଚେୟାରରେ ମା’ ନିରୂପମା ସେମାନଙ୍କୁ ସ୍କୁଲକୁ ଆଣୁଛନ୍ତି। ମାତ୍ର ଏହି ଦୁଇ ଜଣ ବଡ଼ ହୋଇଯାଇଥିବାରୁ ତାଙ୍କୁ ମଧ୍ୟ ସ୍କୁଲ ଆଣିବାକୁ ବହୁ କଷ୍ଟ ହେଉଛି। ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମନୋବଳ ଆଦୌ କମି ନାହିଁ। ମାମୁନିଙ୍କ କହିବା ଅନୁଯାୟୀ, ଆଜି ଆମେ ଦୁଃଖରେ ବଂଚୁଛୁ। ଆମ କଥା କେହି ଶୁଣୁ ନାହାନ୍ତି। ବଡ଼ ହେଲା ଜିଲ୍ଲାପାଳ ହେବି, ସମସ୍ତଙ୍କ ଦୁଃଖ ଶୁଣିବି । ଅନ୍ୟପଟେ ଶିବ ଶଙ୍କର କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି। ବିଦେଶ ଯାଇ ଚିକିତ୍ସା କରାଇଲେ, ସେମାନେ ସୁସ୍ଥ ହେବ ବୋଲି ଏହି ଭାଇଭଉଣୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର