ଜେକେପୁର କୋଭିଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ, ହାତ କାଟି ଆକ୍ରାନ୍ତର ଆତ୍ମହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତ ଅଭିମନ୍ୟୁ କରଡ଼ିଆ (୩୩) ହାତ କାଟି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଅଭିମନ୍ୟୁଙ୍କ ଘର କଲ୍ୟାଣସିଂହପୁର ବ୍ଲକର କରଞ୍ଜ ଗ୍ରାମରେ। ଚାନ୍ଦିଲି ପୁଲିସ୍ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତରେ ଶେଷକୃତ୍ୟ ସଂପନ୍ନ କରିଛି। ଏଥି ସହିତ ପରିବାର ଲୋକଙ୍କ ବୟାନ୍ ରେକର୍ଡ କରିଛି ପୁଲିସ୍। କଲ୍ୟାଣସିଂପୁର ବ୍ଲକ କରଞ୍ଜ ଗ୍ରାମର ଅଭିମନ୍ୟୁ ଗତ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ଅଭିମନ୍ୟୁ ୨୧ ରେ ଜେକେପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଧୀରେ ଧୀରେ ଅଭିମନ୍ୟୁ ସୁସ୍ଥ ହୋଇ ଆସୁଥିବା ବେଳେ ପାରିବାରିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଗତକାଲି ସଂଧ୍ୟାରେ ମାନସିକ ଭାରସାମ୍ୟ ହରାଇଥିଲେ। ପରିବାର ଲୋକଙ୍କ ସହ ସଂଧ୍ୟାରେ ଅଭିମନ୍ୟୁ ଫୋନରେ କଥା ମଧ୍ୟ ହୋଇଥିଲେ। ରାତି ପ୍ରାୟ ୧୨ଟାରେ ଅଭିମନ୍ୟୁ ୱାର୍ଡରୁ ବାହାରକୁ ଆସି କାନ୍ଥରେ ଲାଗିଥିବା ଏକ ଭଙ୍ଗା ଟାଇଲରେ ଦୁଇ ହାତର ଶିରାକୁ କାଟି ଦେଇଥିଲେ।

ପ୍ରବଳ ରକ୍ତସ୍ରାବ ହେବା ପରେ ଚିତ୍କାର ଶୁଣି ପାର୍ଶ୍ବ ୱାର୍ଡରେ ଥିବା ଆକ୍ରାନ୍ତ ଘଟଣା ସଂପର୍କରେ ଜାଣି ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ନର୍ସ ତୁରନ୍ତ ଅଭିମନ୍ୟୁଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାର ଲୋକଙ୍କୁ ପ୍ରଶାସନ ଖବର ଦେବା ପରେ ପରିବାର ଲୋକ ମେଡ଼ିକାଲରେ ପହଞ୍ଚିଥିଲେ। ଚାନ୍ଦିଲି ଥାନା ସବ୍-ଇନ୍ସପେକ୍ଟର ଭାସ୍କର ମାଣିଆ ମେଡ଼ିକାଲରେ ପହଞ୍ଚି ପିପିଇ କିଟ୍ ପିନ୍ଧି ମୃତଦେହର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରିବାର ଲୋକଙ୍କ ବୟାନ୍ ରେକର୍ଡ ପରେ ଚାନ୍ଦିଲି ପୁଲିସ୍ ଆତ୍ମହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର