କଳାହାଣ୍ଡିରେ କରୋନା ପଜିଟିଭ ସଂଖ୍ୟା ୨୧ ପହଞ୍ଚିଲା, ୧୫ଜଣ ସୁସ୍ଥ ହୋଇ ଫେରିଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ଜଣ ଆକ୍ରାନ୍ତ ଏବେ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବା ସିଡିଏମଓ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତି ଟ୍ରେନ ଯୋଗେ ଗୁଜୁରାଟ ରାଜ୍ୟର ସୁରଟରୁ ଆସି ବ୍ରହ୍ମପୁର ଠାରେ ପହଞ୍ଚିଥିଲେ। ତାଙ୍କୁ ବସ ଯୋଗେ ଅଣାଯାଇ ମଦନପୁର ରାମପୁର ବ୍ଲକର ମୋହନଗିରୀ ପଞ୍ଚାୟତ ଅନ୍ତର୍ଗତ ବାଲିଭଟା ସଙ୍ଗରୋଧ କେନ୍ଦ୍ରରେ ଗତ ମେ ୧୮ ତାରିଖ ଦିନ ରଖାଯାଇଥିଲା। ଗତ ମେ ୨୫ ତାରିଖ ଦିନ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମେ ୨୬ ତାରିଖ ଦିନ ତାଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ପାଇଁ ପଠାଯାଇଥିଲା।

ଗତକାଲି ସଂନ୍ଧ୍ୟାରେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ବାହାରିଥିବା ସୂଚନା ମିଳିଥିଲା। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଭଟା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓ ହେଲଥ ସର୍ଭିସ ପ୍ରୋଭାଇଡର ସମେତ ୨୭ ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୬ ଜଣ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ସିଡିଏମଓ ଡା. ଜଗୁଲାଲ ମଗ୍ରୱାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର