କରୋନା ମୁକାବିଲା ଲାଗି ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି: ସିଏମ୍‌ସି କମିସନର

କଟକ: ମହାମାରୀ କରୋନା ମୁକାବିଲା ଲାଗି ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ପାଇଁ ସିଏମସିରେ ୪ଟି ମୋବାଇଲ ୟୁନିଟ, ୪ଟି ଫିକ୍ସଡ ସେଣ୍ଟର କାମ କରୁଛି। ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ନିଗମର କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସିଏମସି କମିସନର କହିଛନ୍ତି, ଗ୍ରାମାଂଚଳରେ ୧୩ଟି ବ୍ଲକ ଲେବଲ ଟେଷ୍ଟିଂ ଟିମ କାମ କରୁଛନ୍ତି। କଣ୍ଟେନମେଣ୍ଟ ଜୋନରେ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଛି।

ଶ୍ରୀମତୀ ଦାସ କହିଛନ୍ତି, କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ, ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ, ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ୫୯ ଜଣ ଓ ୪୫ ଜଣ ସ୍ଥାନୀୟ ସଂକ୍ରମଣ ଥିଲେ। ଏହାକୁ ଆମେ ବିଶ୍ଲେଷଣ କରି କହିପାରିବା ଯେ, କଣ୍ଟେନମେଣ୍ଟ ଜୋନରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ତାଲିକା ପ୍ରସ୍ତୁତ କରାଯାଉଛି। ବୃଦ୍ଧ, ରୋଗୀ, ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ କରି ଆମେ ନମୁନା ପରୀକ୍ଷା କରୁଛୁ।

ଶ୍ରୀମତୀ ଦାସ କହିଛନ୍ତି, ପୁରୁଣା ରାଉସପାଟଣା ୧୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟକର୍ମୀମାନେ ଏଠାରେ ବହୁ ପରିଶ୍ରମ କରୁଛନ୍ତି। ଫଳରେ ଏଠାରେ ପଜିଟିଭ ସଂଖା ହ୍ରାସ ପାଉଛି। ସେହିପରି ମାଲଗୋଦାମର ବେହେରା ସାହି ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଠାରେ ଘରଗୁଡ଼ିକ ଲାଗିଲାଗି ଥିବାରୁ ଆମ ପାଇଁ ଏହା ଚ୍ୟାଲେଞ୍ଜ ରହିବ। ତେଣୁ ଏଠାରେ ଟେଷ୍ଟିଂର ଆବଶ୍ୟକତା ଅଛି। କୋଭିଡ ରୋଗୀଙ୍କ ପାଇଁ ଆମେ ସପ୍ତାହକୁ ୨ ଥର େଓ୍ଵବିନାର ଆୟୋଜନ କରିବୁ। କୋଭିଡ କାହାରିକୁ ହୋଇପାରେ। ତେଣୁ ଆମେ ସାମାଜିକ ଦୂରତାକୁ ରକ୍ଷା କରିବା ଦରକାର।

କଟକରେ କରୋନା ଯେପରି ଭାଇଚାରା ଭାଙ୍ଗି ନପାରିବ, ସେଥିପାଇଁ ଆମେ ଗୁରୁତ୍ୱ ଦେବା। କିନ୍ତୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାର ଅଛି। ସିଏମସି କମିସନର କହିଛନ୍ତି, କଟକରେ ପଂଜୀକୃତ ଘରୋଇ ଲ୍ୟାବ ଆଣ୍ଟିଜେନ ଟେଷ୍ଟ କରିପାରିବେ। ପୋଷ୍ଟ ପିଜି ଡକ୍ଟରଙ୍କୁ ନିଯୁକ୍ତ କରାଯାଇଛି। ସିସିସିରେ ପିଜି ଡାକ୍ତର ନିଯୁକ୍ତ କରାଯାଇଛି। ଅଶ୍ୱିନୀ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରାଯାଉଛି। ଆକ୍ଟିଭ ସର୍ଭିଲେନ୍ସ ବଢ଼ାଇଛୁ। ଆଜି ଓ ଗତକାଲି ସପ୍ତାହାନ୍ତ ସଟଡାଉନ ଥିଲା। କୋଭିଡ ଆମ ସହିତ ଅଛି। ବ୍ୟବସାୟୀଙ୍କ ସହିତ ଆମେ ଆଜି କଥା ହେବୁ। ବଜାରରେ ଭିଡ ଜମାନ୍ତୁ ନାହିଁ। ବଜାରରେ ଭିଡ ହ୍ରାସ କରିବାରେ ଗ୍ରାହକଙ୍କ ମଧ୍ୟ ବଡ଼ ଭୂମିକା ରହୁଛି।

ସାମ୍ବାଦିକ ସମ୍ମିଳନୀରେ କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ କଟକରେ ଶଯ୍ୟା ସଂଖ୍ୟା ବଢ଼ିବ। ଭୁବନେଶ୍ୱର ଓ ଯାଜପୁର ଭଳି କଟକରେ ମଧ୍ୟ କରୋନା ମୁକାବିଲା ଲାଗି ଆବଶ୍ୟକୀୟ ଶଯ୍ୟା ଅଛି। ଅନଲକ-୩ ପାଇଁ ଆର୍ଥିକ କାରବାରକୁ ଗୁରୁତ୍ୱ ଦିଆଯାଇଛି। ଏହି ପର୍ଯ୍ୟାୟରେ ଦୋକାନ ଓ ବଜାର ଖୋଲାକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଲୋକେ ଜରୁରୀକାମ ଥିଲେ ବାହାରକୁ ଯାଆନ୍ତୁ। ସାମାଜିକ ଦୂରତା ରକ୍ଷାକରି ଏବଂ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ।

ସମ୍ବନ୍ଧିତ ଖବର