ପୁରୀକୁ ଲେଉଟିଲା କରୋନା: ପୁଣି ୨ ପଜିଟଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭

ଭୁବନେଶ୍ୱର: ପୁରୀ ଜିଲ୍ଲାକୁ ପୁଣି ଥରେ କରୋନା ଭାଇରସ୍ ଲେଉଟିଛି । ଆଜି ସନ୍ଧ୍ୟାରେ ଯେଉଁ ୧୫ ଜଣ ପଜିଟଭ୍ ଚିହ୍ନଟ ହୋଇଛନ୍ତି ସେଥିରୁ ୨ ଜଣ ପୁରୀ ଜିଲ୍ଲାରୁ ସାମିଲ ଅଛନ୍ତି । ଏହି ଦୁଇ ଜଣ ପଶ୍ଚିମବଙ୍ଗରୁ ନିକଟରେ ଫେରିଥିଲେ ବୋଲି ଜଣାଯାଇଛି । ପୁରୀ ଜିଲ୍ଲାରୁ ଗତ ଏପ୍ରିଲ ୩ ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ କିନ୍ତୁ ସୁସ୍ଥ ହୋଇଯିବା ପରେ ପୁରୀ ଜିଲ୍ଲା କରୋନା ମୁକ୍ତ କୁହାଯାଉଥିଲା । ଏବେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି ।

 

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୯ ହଜାର ୭୮୦ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୦୬ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୬୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରୁ ୮-୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ ଓ ପୁରୀ ଜିଲ୍ଲାରୁ ୩-୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର