କରୋନା କାହାଣୀ; ସାଉଦିରୁ ଛଞ୍ଚିଣା

ଡେରାବିଶ: ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଛଂଚିଣା ଗ୍ରାମର ସେକ ମୁକ୍ତାର(୫୫)। ଦୀର୍ଘ ବର୍ଷ ହେଲା ଦରିଆପାରି ସାଉଦି ଆରବର ଆହ୍ଲାସା ସହରରେ ଥିବା ଏକ ଘରୋଇ କମ୍ପାନିରେ ୱେଲ୍ଡିଂ କାମ କରୁଥିଲେ। ସେଠାରେ କାମ ପାଇବା ପରେ ପରିବାରର ଆର୍ଥିକ ସ୍ଥିତି ସୁଧୁରିଥିଲା। ପରିବାର ସୁରୁଖୁରୁରେ ଚଳୁଥିଲା। ୪ ମାସିଆ ଛୁଟି ମିଳିବା ପରେ ୨୦୧୯ ଡିସେମ୍ବରରେ ଘରକୁ ଆସିଥିଲେ। ଏହି ସମୟରେ ୨୦୨୦ ଫେବ୍ରୃଆରିରେ ଦେଶରେ କରୋନା ମହାମାରୀ କାୟା ମେଲାଇବା ଆରମ୍ଭ କରିଦେଲା। ଲକ୍‌ଡାଉନ୍‌ ଆରମ୍ଭ ହୋଇଗଲା। କରୋନା କଟକଣା ଯୋଗୁଁ ମୁକ୍ତାର ଛୁଟି ସମାପ୍ତ ପରେ ବି ସାଉଦି ଫେରି ପାରି ନାହାନ୍ତି।

କରୋନା ପାଇଁ ଘର ଲୋକ ତାଙ୍କୁ ଆଉ ବିଦେଶ ଛାଡ଼ୁ ନାହାନ୍ତି। ଘରେ ବସି ରହିବାରୁ ସଞ୍ଚିତ ଅର୍ଥ ଶେଷ ହୋଇଗଲା। ଟଙ୍କା ଧାରକରଜ କରି ଶେଷରେ ଏଠାରେ ଏକ ଗ୍ୟାରେଜ ଖୋଲିବାକୁ ନିଷ୍ପତ୍ତି ନେଲେ। ଅର୍ଥାଭାବ ଯୋଗୁଁ ନିଜ ଗ୍ୟାରେଜକୁ ଠିକ ଢଙ୍ଗରେ ଚଳାଇ ପାରୁନାହାନ୍ତି। ଗ୍ରାହକ ବି ବେଶି ଆସୁ ନାହାନ୍ତି। ଦିନକୁ ଯାହା ଅଳ୍ପବହୁତ ରୋଜଗାର ହେଉଛି ସେହିଥିରେ ଦୁଃଖେ କଷ୍ଟେ ପରିବାର ଚଳିଯାଉଛି। ସରକାର ଯଦି ତାଙ୍କୁ ସହାୟତା ଯୋଗାଇ ଦିଅନ୍ତେ ସେ ବଡ଼ ଗ୍ୟାରେଜ୍‌ଟିଏ ଖୋଲି ପାରନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର