ବଜ୍ରାଘାତରେ କ୍ରିକେଟ୍‌ ଖେଳାଳି ମୃତ

କୁଳିଦା: ଗାଁ ପଡ଼ିଆରେ କ୍ରିକେଟ୍‌ ଖେଳ ଚାଲିଥିଲା। ଆକାଶରେ କଳାମେଘ ଘୋଟିଆସିଲା। ବର୍ଷା ଓ ପବନ ହେଲା। ଫଳରେ ଖେଳୁଥିବା ଯୁବକମାନେ ଘରକୁ ପଳାଇ ଆସୁଥିଲେ। ଏତିକିବେଳେ ହଠାତ୍‌ ବଜ୍ର ପଡ଼ିଲା। ଫଳରେ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ବେଲଗାଁ ଗ୍ରାମରେ।

ଆଜି ଅପରାହ୍ନରେ ବେଲଗାଁ ଗ୍ରାମର କିଛି ଯୁବକ ଗାଁ ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ। ଏହି ସମୟରେ ଆକାଶରେ କଳାମେଘ ଘୋଟିଆସିଲା। ବର୍ଷା ଓ ପବନ ହେଲା। ଫଳରେ ଯୁବକମାନେ ଖେଳ ବନ୍ଦ କରି ଘରକୁ ପଳାଇଆସୁଥିଲେ। ତେବେ ଏହି ସମୟରେ ହଠାତ୍‌ ବଜ୍ର ପଡ଼ିଲା। ଫଳରେ ସାଗର ଜେନା (୩୦) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ସାଙ୍ଗସାଥୀ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ଉଲ୍ଲେଖ ଥାଉକି ଗାଁ ରାସ୍ତାରେ ରେଳଲାଇନ୍‌ ଥିବାରୁ ଯାତାୟାତରେ ଘୋର ଅସୁବିଧା ହେଉଛି। ଏମିତିକି ଆମ୍ବୁଲନ୍‌ସ ଭଳି ଜରୁରୀକାଳୀନ ସେବା ପାଇବାରୁ ଗାଁ ଲୋକ ବଞ୍ଚିତ ହେଉଛନ୍ତି। ଆଜିର ଦୁର୍ଘଟଣା ପରେ ସାଗରଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରେଳଲାଇନ୍‌ ପାର୍‌ ହୋଇ ଆମ୍ବୁଲାନ୍‌ସ ଗାଁ ଭିତରକୁ ଆସିପାରି ନଥିଲା। ଏହା ଗାଁ’ଠାରୁ ଅଧକିଲୋମିଟର ଦୂରରେ ଅଟକି ରହିଥିଲା। ପରିବାର ଲୋକ ଓ ଗ୍ରାମବାସୀ ସାଗରଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ତେବେ ବିଳମ୍ବ ହେବା ଯୋଗୁ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରିଲାନି ଏବଂ ସେ ଜୀବନ ହରାଇଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର