ଖୋର୍ଦ୍ଧା ଜିଲ୍ଲାରେ ସୋମବାର ଠାରୁ ଶୁକ୍ରବାର ଘରକୁ ମଦ ମଗାଇ ପାରିବେ ଗ୍ରାହକ

ଖୋର୍ଦ୍ଧା: ପ୍ରାକ୍ ମୌସୁମୀ ଆସିଯାଇଛି । ଲକ୍‌ଡାଉନ୍ ଯୋଗୁଁ ଘରୁ ବାହାରି ପାରୁନାହାନ୍ତି । ଘରେ ବସି ମଦୁଆ ଏଣିକି ପ୍ରାକ୍ ମୌସୁମୀର ମଜା ନେଇପାରିବେ । ଲକ୍‌ଡାଉନ୍‌ରେ ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ଘରକୁ ମଦ ମଗାଇ ପାରିବେ । ଗତକାଲି ଏନେଇ ଜିଲ୍ଲା ଅବକାରୀ ବିଭାଗ ନିର୍ଦ୍ଦେଶାନାମା ଜାରିକରିଛି ।

ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ପତ୍ର ସଂଖ୍ୟା ୧୧୨୫/୨୦୨୧ରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାନାମା ଅନୁସାରେ, ମଦ ଚାହୁଁଥିବା ବ୍ୟକ୍ତି ଏଣିକି ଘରେ ବସି ମଦ ମଗାଇପାରିବେ । ସୋମବାର ଠାରୁ ଶୁକ୍ରବାର ସକାଳ ୭ଟାରୁ ସଂଧ୍ୟା ୫ ଟା ମଧ୍ୟରେ ସରକାରଙ୍କ ଦ୍ୱାରା ଅନୁମୋଦିତ ମଦଦୋକାନରୁ ଫୋନ୍ ଯୋଗେ ବିଦେଶୀ ମଦ, ବିୟର ଓ ଦେଶୀମଦ ବରାଦ ଦେଇପାରିବେ । ଶନିବାର ଓ ରବିବାର ସପ୍ତାହନ୍ତ ଛୁଟିରେ କିନ୍ତୁ ଏହି ସୁବିଧା ମିଳିବ ନାହିଁ । କୌଣସି ସରକାରୀ ସ୍ୱୀକୃତପ୍ରାପ୍ତ ମଦ ଦୋକାନ କାଉଂଟରରେ ମଦ ବିକ୍ରି କରିପାରିବେ ନାହିଁ ।

ଦୋକାନରୁ ଗ୍ରାହକଙ୍କ ବରାଦ ଅନୁସାରେ ମଦ ନେଇ ଯାଉଥିବା ବ୍ୟକ୍ତି ଦୋକାନ ଦ୍ୱାରା ଜାରି କରାଯାଇଥିବା ପରିଚୟପତ୍ର ସାଥିରେ ନେଇ ଯିବେ । ଏହା ସହ ବରାଦର ଇନ୍‌ଭୋଏସ୍ ଲକ୍‌ଡାଉନ୍‌ରେ ଯିବା ଆସିବା କରିବାରେ ପାସ୍ ଭାବେ ବ୍ୟବହୃତ ହୋଇପାରିବ । ଏଥିରେ ଗ୍ରାହକଙ୍କ ବରାଦ, ଫୋନ୍‌ରେ କିମ୍ବା ଏସ୍‌ଏମ୍‌ଏସ୍‌ରେ କିମ୍ବା ୱାଟସଅପ୍‌ରେ ହୋଇଛି ତାହା ସ୍ପଷ୍ଟ ଭାବେ ଦର୍ଶାଯିବା ଆବଶ୍ୟକ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି ।

ସମ୍ବନ୍ଧିତ ଖବର