ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଘଟଣା: ପରିବାର ଆଣିଲେ ବ୍ଲାକମେଲିଂ ଅଭିଯୋଗ

କଟକ: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ କୋଲକାତାସ୍ଥିତ ବାସଭବନରେ କଟକ ପୁଲିସ ଟିମ ପହଞ୍ଚିଛି। କଟକର ଜଗତପୁର ଥାନାରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଦେଇଥିବା ଅଭିଯୋଗ ଆଧାରରେ ପୁଲିସ ସେଠାକୁ ଯାଇଛି। ସୌରୀନ ଦିଲ୍ଲୀରେ ଥିବାରୁ ପୁଲିସ ସହ ତାଙ୍କ ଯୋଗାଯୋଗ ହୋଇପାରି ନାହିଁ। ଅନ୍ୟପଟରେ ପରିବାର ଲୋକେ କହିଛନ୍ତି ଯେ, କଟକର ଜଣେ ଯୁବତୀଙ୍କ ସହ ସୌରିନଙ୍କ ସମ୍ପର୍କ ଖବର ଅଛି। ସେ ଝିଅ ସୌରୀନଙ୍କୁ ବ୍ଲାକ ମେଲ୍ କରୁଛନ୍ତି। ସୌରୀନ ଫେରିବା ପରେ ପୁଲିସ ସହ ଯୋଗାଯୋଗ କରିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଛନ୍ତି। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଉଲ୍ଲେଖଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବେଶ କେତେଟି ଓଡ଼ିଆ ଛବିରେ କଣ୍ଠଦାନ କରି ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଗାଇଥିବା ଗୀତ ମଧ୍ୟରେ ଦିନେ ଏଇ ରଙ୍ଗ….(ମୁଁ ଏକା ତୁମର), ଓ ପ୍ରିୟାରେ ଓ ସାଥୀରେ…(ଅଭିମନ୍ୟୁ), ଦେ ଦେ ଦେ ମୋ ମାଲଟା ଦେ…(ଆଖିରେ ଆଖିରେ), ମୁଁ ତୋ ହୀରୋ ଗୋରୀ…(ହୀରୋ-ଏକ ପ୍ରେମ କଥା) ଓ କାଞ୍ଚିରେ କାଞ୍ଚିରେ…(ହୀରୋ ନମ୍ବର ଓ୍ବାନ୍) ଆଦି ବେଶ୍ ଲୋକପ୍ରିୟ।

ସମ୍ବନ୍ଧିତ ଖବର