ରେଭେନ୍ସା କ୍ୟାମ୍ପସରୁ ଯାଇ ଭୁଆସୁଣି ପଠାରେ ଛପି ରହିଛି ହାତୀ

କଟକ/ସିଡିଏ: ଗତକାଲି ସିଡିଏ ସେକ୍ଟର-୧୩ସ୍ଥିତ ରେଭେନ୍ସା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସକୁ ପଶି ଆସିଥିବା ହାତୀ ଆଜି ଭୁଆସୁଣି ପଠାରେ ବୁଲୁଥିବା ଦେଖିବାକୁ ମିଳିଛି। ମହାନଦୀର ମଧୁସୂଦନ ସେତୁ ନିକଟରେ ଥିବା ଭୁଆସୁଣି ପଠାରେ ହାତୀ ଗତକାଲି ରାତିରୁ ରହି ଥିବା ବେଳେ ବନବିଭାଗ କର୍ମଚାରୀ ହାତୀକୁ ଜଗି ରହିଛନ୍ତି। ଆଜି ରାତିରେ ହାତୀକୁ ସେଠାରୁ ଘଉଡାଇବାକୁ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦକାରୁ ଏକ ମାଇ ହାତୀ ହାତୀପଲରୁ ଅଲଗା ହୋଇ ବାଟ ବଣା ହେବା ସହିତ କାଠଯୋଡ଼ି ନଦୀ ପାର କରି ସେକ୍ଟର ୧୩ ମୁଣ୍ଡା ସାହି ନିକଟରେ ପହଞ୍ଚି ଥିଲା।

ପରେ ନିକଟରେ ଥିବା ରେଭେନ୍ସା କ୍ୟାମ୍ପସ ପାଚେରି ଭାଙ୍ଗି ପଶି ଥିଲା ସେଠାରେ ଦିନ ତମାମ ରହିବା ପରେ ବନ ବିଭାଗ କର୍ମଚାରୀ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବାଣ ଫୁଟାଇ ହାତୀକୁ ଘଉଡାଇ ଦେବାରୁ ହାତୀ ବିଜୁ ପଟ୍ଟନାୟକ ପାର୍କ ରାସ୍ତା ଦେଇ ମହାନଦୀ ମଧୁ ସେତୁ ନିକଟରେ ଥିବା ଭୁଆସୁଣି ପଠାକୁ ପଳାଇ ଯାଇଥିଲା। ଆଜି ଦିନରେ ହାତୀଟି ସେଠି ଜଙ୍ଗଲ ଭିତରେ ରହିଥିବା ବେଳେ ଆଜି ତାକୁ ଘଉଡାଇବା ପରେ ସେ ଖୁଣ୍ଟୁଣୀ ଆଡକୁ ପଳାଇବା ଆଶଙ୍କା କରାଯାଉଛି। କିନ୍ତୁ କାଠଯୋଡ଼ି ପଟୁ ଚନ୍ଦକା ଜଙ୍ଗଲରୁ ଆସିଥିବା ହାତୀ ପଲରୁ ବିଚ୍ଛିନ୍ନ ହୋଇ ମହାନଦୀର ଖୁଣ୍ଟୁଣୀ ପଟେ କିଭଳି ରହିବ, ତାହାକୁ ନେଇ ବି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର