୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ସେସୁ କନିଷ୍ଠ ଯନ୍ତ୍ରୀ ଗିରଫ

କଟକ : ତିନି ଫେଜ୍‌ ବିଦ୍ୟୁତ ସଂଯୋଗ ଦେବାକୁ ଛଅ ମାସ ହେଲା ଜଣେ ଉପଭୋକ୍ତାଙ୍କୁ ଦୌଡ଼ାଉଥିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ। ଏଥିପାଇଁ ମାଗିଥିଲେ ୫୦ ହଜାର ଟଙ୍କା ଲାଞ୍ଚ। ଲାଞ୍ଚ ଟଙ୍କା ନେଲା ବେଳେ ଆଜି ସଂପୃକ୍ତ ଯନ୍ତ୍ରୀ ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଯନ୍ତ୍ରୀ ହେଉଛନ୍ତି ଦୋଳମୁଣ୍ଡାଇ ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ସେନାପତି। ଆଜି ସଂଧ୍ୟା ୬ଟାରେ ସେ ଅଫିସ ଭିତରେ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ବାଦାମବାଡି ସେସୁ କଲୋନିରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ସଂପତ୍ତିର ଖୋଳତାଡ଼ କରାଯାଉଛି।

ସୂଚନା ଅନୁଯାୟୀ ପିଠାପୁରର ଦେବାଶିଷ କୁମାର ଜେନା ଏହି ବିଦ୍ୟୁତ ସଂଯୋଗ ପାଇଁ ୬ ମାସ ପୂର୍ବରୁ ଆବେଦନ କରିଥିଲେ। କିନ୍ତୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ସେନାପତି ବିଭିନ୍ନ କାରଣ ଦେଖାଇ ପ୍ରକ୍ରିୟାକୁ ବିଳମ୍ବିତ କରିବା ସହ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଭଳି ଘଟଣାରେ ଅତିଷ୍ଠ ହୋଇ ଶ୍ରୀ ଜେନା ଏ ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ଅନୁଯାୟୀ ଆଜି ସଂଧ୍ୟା ୬ଟାରେ ନିଜ ଅଫିସ ଭିତରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେନାପତି ବସିଥିବା ବେଳେ ଶ୍ରୀ ଜେନା ୫୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ। ଶ୍ରୀ ସେନାପତି ଡାହାଣ ହାତରେ ଏହି ଟଙ୍କାକୁ ନେଇ ନିଜ ଟେବୁଲ୍‌ ଡ୍ର’ରେ ରଖିଥିଲେ। ସେହି ସମୟରେ ସାକ୍ଷୀଙ୍କ ଉପସ୍ଥିତିରେ ଭିଜିଲାନ୍ସ କର୍ମଚାରୀ ଚଢଉ କରି ଡ୍ର’ ଭିତରୁ ଟଙ୍କା ଜବତ କରିବା ସହିତ ହାତର କେମିକାଲ୍‌ ପରୀକ୍ଷା କରି ଲାଞ୍ଚ ନେବାର ପ୍ରମାଣ ସଂଗ୍ରହ କରିଥିଲେ। ଶ୍ରୀ ସେନାପତିଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଆୟ ବର୍ହିଭୂତ ସଂପତ୍ତି ସଂପର୍କରେ ଖୋଳ ତାଡ ଜାରି ରହିଛି।

ସମ୍ବନ୍ଧିତ ଖବର