ରାଜ୍ୟରେ ପ୍ରଥମ: କଟକରେ ଆରମ୍ଭ ହେଲା ଶିକ୍ଷକଙ୍କ ଅଭିଯୋଗ ଶୁଣାଣି, ଚା’ ପାନ କାର୍ଯ୍ୟକ୍ରମ

ପ୍ରତି ଶୁକ୍ରବାର ହେବ ଅଭିଯୋଗ ଶୁଣାଣି

କଟକ: ରାଜ୍ୟର ପ୍ରଥମ ଜିଲ୍ଲାଭାବେ କଟକରେ ଆରମ୍ଭ ହୋଇଛି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍‌ ଅଞ୍ଚଳରେ ଜିଲ୍ଲାପାଳଙ୍କର ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ସୁଦୃଢ ଓ ପ୍ରସାରିତ କରିବା ଉଦ୍ଦେଶ୍ୟରେ ‘ଶିକ୍ଷକଙ୍କ ସହିତ ଚା’ ପାନ’ କାର୍ଯ୍ୟକ୍ରମ କରାଯିବ। ଏହା ଏକ ସୌହାର୍ଦ୍ଦ୍ୟ ବାତାବରଣ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଛନ୍ତି। ଆଜି ପ୍ରଥମ କାର୍ଯ୍ୟକ୍ରମ ସ୍ବରୂପ ସୂତାହାଟ ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ତାହାର ସମାଧାନ କରିଥିବା ବେଳେ ଅନ୍ୟ ଅଧିକାରୀମାନଙ୍କ ସହ ଯାଇ ରବୀନ୍ଦ୍ରଙ୍କ ବାସଭବନରେ ‘ଚା’ ପାନ କରିଥିଲେ। ଏହି ଯୋଜନାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସ୍ଥାନୀୟ ଖାନନଗର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକମାନଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ୮୨ଟି ଅଭିଯୋଗ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅବସରରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ୧୬ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଗୁଡିକର ପୁଙ୍ଖାନୁପୁଙ୍ଖ ତର୍ଜମା ପୂର୍ବକ ସମାଧାନ ନିମନ୍ତେ ଜିଲ୍ଲାପାଳ ଆଦେଶ ଦେଇଥିଲେ। ଅଭିଯୋଗ ଗୁଡିକର ସମାଧାନ ସାତ ଦିନ ମଧ୍ୟରେ ଶେଷ କରି ସଂପୃକ୍ତପକ୍ଷମାନଙ୍କୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଡକ୍ଟର ଚୟନୀ କହିଥିଲେ ଯେ ଶିକ୍ଷାଦାନ ପ୍ରକ୍ରିୟାରେ ବିକାଶ ଆଣିବାକୁ ହେଲେ ଶିକ୍ଷକମାନଙ୍କର ଚାକିରି ସମ୍ବନ୍ଧିତ ଆପତ୍ତି ଅଭିଯୋଗଗୁଡିକର ତ୍ଵରିତ ସମାଧାନ ଆବଶ୍ୟକ। ଶିକ୍ଷାଦାନ ସମୟରେ ମାନସିକସ୍ତରରେ ଶିକ୍ଷକମାନେ ଚିନ୍ତାମୁକ୍ତ ରହିଲେ ଶିକ୍ଷାଦାନ ପ୍ରକ୍ରିୟା ସ୍ବାଭାବିକ ହେବା ସହ ଏକ ଭଲ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଶିକ୍ଷକମାନଙ୍କ ମଧ୍ୟରେ ପ୍ରଶାସନ ପ୍ରତି ବିଶ୍ଵାସ ସୁଦୃଢ ହେବା ସହ ଶିକ୍ଷାପ୍ରଦାନ କରିବାରେ କର୍ତ୍ତବ୍ୟପରାୟଣତା ଓ ନିଷ୍ଠା ପ୍ରତିଭାତ ହେବ ବୋଲି ଡକ୍ଟର ଚୟନୀ କହିଥିଲେ। ପରବର୍ତ୍ତୀ ଶିକ୍ଷକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସେପ୍ଟେମ୍ବର ୯ ତାରିଖରେ ଆଠଗଡ଼ ବିଶ୍ବନାଥ ବିଦ୍ୟାପୀଠରେ କରାଯିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ସୋନାମିକା ରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ଉପଜିଲ୍ଲାପାଳଙ୍କ ପ୍ରତିନିଧି ସମୀର ରଞ୍ଜନ ଦାସ, ଖାନନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ ନନ୍ଦ, ମିସନ ଜିରୋ କଟକ କେନ୍ଦ୍ର ମୁଖ୍ୟ ରଶ୍ମିତା ମିଶ୍ର, ସଂଯୋଜିକା ଲୋପାମୁଦ୍ରା ମିଶ୍ରଙ୍କ ସମେତ ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର