ମହାକାର୍ତ୍ତିକର ପହିଲି ପଞ୍ଚକ; ବଡ଼ସିଂହାର ବେଶରେ ସଜିଲେ ବାବା ଧବଳେଶ୍ବର

ପୀଠରେ ୧୪୪ଧାରା, ପୁଲିସ ଛାଉଣୀ; କୋଭିଡ୍‌ କଟକଣାରେ ହେଲା ବାବାଙ୍କ ନୀତିକାନ୍ତି

ଖୁଣ୍ଟୁଣୀ: ଆଜି ହେଉଛି ମହାକାର୍ତ୍ତିକ ମାସର ପହିଲି ପଞ୍ଚକ ବା ଭୀଷ୍ମ ପଞ୍ଚକ। ଏହି ଉପଲକ୍ଷେ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମହାପ୍ରଭୁଙ୍କୁ ଦୁର୍ଲଭ ବଡ଼ସିଙ୍ଗାର ବେଶରେ ସୁସଜ୍ଜିତ କରାଯାଇଛି। ବାବା ଧବଳେଶ୍ବରଙ୍କ ପ୍ରଧାନ ପର୍ବ ପଞ୍ଚକ ଓ ବଡ଼ଓଷାରେ ପ୍ରତିବର୍ଷ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ବାବା ଧବଳେଶ୍ୱରଙ୍କ ପହିଲି ପଞ୍ଚକ ନୀତିକାନ୍ତି ବିନା ଭକ୍ତରେ ସମ୍ପନ୍ନ ହୋଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ ପକ୍ଷରୁ ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ କଟକଣା ଜାରି କରାଯିବା ସହିତ ଭକ୍ତମାନେ ପୀଠକୁ ନ ଆସି ଘରେ ରହି ଠାକୁରଙ୍କ ଆରାଧନା କରିବାକୁ ନିବେଦନ କରାଯାଇଥିଲା। ଏଥିସହ ପୀଠରେ ୧୪୪ଧାରା ଲାଗୁ କରାଯାଇଥିବାରୁ ଭକ୍ତମାନେ ବାବାଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ଆଜି ପ୍ରତ୍ୟୁଷ ସାଢ଼େ ୪ଟାରେ ଠାକୁରଙ୍କ ପହଡ଼ ଖୋଲା ଯାଇଥିଲା। ମଙ୍ଗଳ ଆଳତି ଓ ଭିତରଶୋଧ ପରେ ଅଗୁର, ଚନ୍ଦନ, ଶ୍ରୀକର୍ପୁର, ଜାଇଫଳ, ଗଙ୍ଗୋଦକ, ଗୋଲାପ ଜଳ ଆଦି ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ମିଶ୍ରିତ ୧୦୮ ଗରା ନଦୀଜଳରେ ମହାପ୍ରଭୁ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ଜଳାଭିଷେକ ଆଳତି, ସକାଳଧୂପ, ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ କରାଯାଇ ଠାକୁରଙ୍କୁ ପୂଜକମାନେ ଦେବଦୁର୍ଲଭ ବଡ଼ସିଙ୍ଗାର ବେଶରେ ସଜ୍ଜିତ କରିଥିଲେ। ମଧ୍ୟାହ୍ନରେ ନୀତିଭୋଗ ଯଥା ଖେଚୁଡ଼ି, ଅନ୍ନ, ଡାଲମା, କ୍ଷୀରି, ଖଟା, ଶାଗ, ମହୁର ପ୍ରସାଦ ରୂପେ ପ୍ରଭୁଙ୍କୁ ଲାଗି କରାଯାଇ ସାମୟିକ ପହଡ଼ ବନ୍ଦ ରହିଥିଲା।

ଅପରାହ୍ନରେ ଠାକୁରଙ୍କ ବେଶ ଓଲାଗି କରାଯାଇ ସ୍ନାନାଦି କାର୍ଯ୍ୟ ସମ୍ପନ୍ନ ହେବା ସହିତ ସନ୍ଧ୍ୟାଧୂପ ଆଳତି, ବାଳଭୋଗରେ ଉଖୁଡ଼ା, ଲଡ଼ୁ, କୋରା, ଖସାଲଡ଼ୁ, ନଡ଼ିଆ ଅର୍ପଣ କରାଯାଇଥିଲା। ରାତିର ପ୍ରଥମ ପ୍ରହରରେ ପ୍ରଭୁଙ୍କ ନିକଟରେ ଦହିପଖାଳ ଲାଗି କରାଯାଇ ମନ୍ଦିର ପହଡ଼ ପଡ଼ିଥିବା ମନ୍ଦିର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରି ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣା ମୁତାବକ ମନ୍ଦିର ଭିତରେ ପୂଜକ ସମିତି କର୍ମକର୍ତ୍ତା, ନୀତି ପାଳିଆ ସେବକ ବଟକୃଷ୍ଣ ପତ୍ରିଙ୍କ ସମେତ ସୀମିତ ସେବକଙ୍କ ଦ୍ୱାରା ଦେବୋତ୍ତର ବିଭାଗ ସହଯୋଗରେ ଠାକୁରଙ୍କ ପହିଲି ପଞ୍ଚକ ପୂଜାନୀତି ସମ୍ପନ୍ନ ହୋଇଥିଲା।

ପଞ୍ଚକ ଓ ବଡ଼ଓଷାରେ ଠାକୁରଙ୍କ ବେଶ
ଚଳିତବର୍ଷ ପଞ୍ଚକ ୬ଦିନ ପଡ଼ୁଛି। ଫ‌ଳରେ ୬ଦିନ ଧରି ବାବା ବିଭିନ୍ନ ବେଶରେ ସଜ୍ଜିତ ହେବେ। ଆଜି ବୁଧବାର ପହିଲି ପଞ୍ଚକରେ ବାବା ଧବଳେଶ୍ବରଦେବ ଦୁର୍ଲ୍ଲଭ ବଡ଼ସିଙ୍ଗାର ବେଶରେ ବିଭୂଷିତ ହୋଇଛନ୍ତି। ସେମିତି ଗୁରୁବାର ଦ୍ୱିତୀୟ ଓ ଶୁକ୍ରବାର ତୃତୀୟ ପଞ୍ଚକରେ ପ୍ରଭୁଙ୍କ ବଡ଼ସିଙ୍ଗାର ବେଶ ଅନୁଷ୍ଠିତ ହେବ। ଶନିବାର ପୀଠରେ ବଡ଼ଓଷା ଓ ରବିବାର ପ୍ରଭୁଙ୍କର ଅତି ପ୍ରିୟ ଭୋଗ ଗଜଭୋଗ ଧବଳେଶ୍ୱରଙ୍କ ନିକଟରେ ଲାଗି କରାଯିବ। ଏହି ଦୁଇଦିନ ଠାକୁର ଭୁବନ ବନ୍ଦନୀୟ ନାଗାର୍ଜୁନ କିରାତ ବେଶରେ ସଜ୍ଜିତ ହେବେ। ଏଥିସହ ସୋମବାର ୩୦ତାରିଖ ପବିତ୍ର ରାସ ପୂର୍ଣ୍ଣିମାରେ ବାବା ଯୋଗୀବେଶରେ ସଜ୍ଜିତ ହେବେ ବୋଲି ପୂଜକ ସମିତି ସଭାପତି ଶ୍ରୀ ପତ୍ରି କହିଛନ୍ତି।

୭ପ୍ଲାଟୁନ୍‌ ଫୋର୍ସ, ଅନୁଧ୍ୟାନ କଲେ ଏସ୍‌ପି
ଆଜି ଠାରୁ ଆରମ୍ଭ ହୋଇଥିବା ଧବଳେଶ୍ବରଙ୍କ ପଞ୍ଚକ ପର୍ବ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୀଠ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ମଙ୍ଗଳବାର ମଧ୍ୟରାତ୍ରିରୁ ୧୪୪ଧାରା ଲାଗୁ କରାଯିବା‌ ସହିତ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା, ଗଳି ସିଲ୍‌ କରାଯାଇଛି। ମନ୍ଦିର ଆଖପାଖ ଅଞ୍ଚଳରେ ଯେପରି ଜନଗହଳି ନ ହେବ ସେଥିପାଇଁ ପ୍ରଶାସନ ତରଫରୁ ନୂଆପାଟଣା ଭୂୟାଁଯୋର ଠାରୁ ନରଙ୍ଗବସ୍ତ ଛକ ପର୍ଯ୍ୟନ୍ତ ମଧ୍ୟ ୧୪୪ଧାରା ଜାରି କରାଯାଇ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ପୁଲିସ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ଆଇନଶୃଙ୍ଖଳା ରକ୍ଷା ପାଇଁ ଏସପିଙ୍କ ନିର୍ଦେଶକ୍ରମେ ୩ଜଣ ଡିଏସ୍‌ପି, ୧୦ଜଣ ଆଇ ଆଇସି, ୫୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୦ଜଣ ହୋମଗାର୍ଡଙ୍କ ସହ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ପି.କେ. ଜେନା ଓ ଅଲେଖ ଚନ୍ଦ୍ର ପହି ପୀଠରେ ଉପସ୍ଥିତ ରହି ବ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ, ଦେବୋତ୍ତର ସୁପର୍‌ଭାଇଜର୍‌ ଭବାନୀଶଙ୍କର ପଣ୍ଡା ପ୍ରମୁଖ ପୀଠରେ ଉପସ୍ଥିତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର