ହାଇକୋର୍ଟରେ ଢିଙ୍କିଆ ପ୍ରସଂଗ ଷ୍ଟାଟସ୍ ରିପୋର୍ଟ ତଲବ

ସତ୍ୟପାଠ ମାଧ୍ୟମରେ ଜବାବ ରଖିବେ ସରକାର

କଟକ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆ ଠାରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗର ଜଣେ ଦାୟିତ୍ବ ସଂପନ୍ନ ଅଧିକାରୀଙ୍କୁ ସତ୍ୟପାଠ ମାଧ୍ୟମରେ ଢିଙ୍ଗିଆର ପ୍ରକୃତ ସ୍ଥିତି ସଂପର୍କରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଞ୍ଚଳରେ ସ୍ବାଭାବିକ ସାଧାରଣ ଜୀବନଯାତ୍ରା ଯେଭଳି ପ୍ରଭାବିତ ନ ହେବ ତାହା ସୁନିଶ୍ଚିତ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ କହିଛନ୍ତି। ଅଞ୍ଚଳର ଜନସାଧାରଣ ନିତ୍ୟା ବ୍ୟବହାର୍ଯ୍ୟ ଆବଶ୍ୟକ ସାମଗ୍ରୀ ଯେଭଳି ପାଇବେ ଓ ସ୍ବାଭାବିକ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଢିଙ୍କିଆର ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଢିଙ୍କିଆରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ଅସ୍ବୀକାର କରାଯାଇଥିବା ବେଳେ ଢିଙ୍କିଆରେ ଜେଏସଡବ୍ଲ୍ୟୁ ତରଫରୁ ଏକ ଷ୍ଟିଲ କମ୍ପାନି ଓ ସିମେଣ୍ଟ କମ୍ପାନି ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ରହିଛି ବୋଲି ଦର୍ଶାଯାଇଥିଲା। ଏହି ପ୍ରକଳ୍ପ ଢିଙ୍କିଆ ତଥା ସାରା ରାଜ୍ୟର ଉନ୍ନତି ପାଇଁ ଉଦ୍ଧିଷ୍ଟ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ଆବେଦନକାରୀ ଆଇନଜୀବୀ କ୍ଷୀରୋଦ କୁମାର ରାଉତଙ୍କ ତରଫରୁ ଢିଙ୍କିଆରେ ସ୍ଥାନୀୟ ବାସିନ୍ଦାଙ୍କ ସାନି ସ୍ଥିତି ସଂପର୍କରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଥିଲା। ଆଇନଜୀବୀ ରାଉତ ଢିଙ୍କିଆ ଗସ୍ତ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ କଥାବର୍ତ୍ତା କରିବା ସହିତ ସ୍ଥିତି ଅନୁଧ୍ୟାନ କରି ଏହି ସତ୍ୟପାଠ ଦାଖଲ କରିଥିଲେ।। ପୁଲିସର ବର୍ବର ଲାଠି ଚାର୍ଜ ପରେ ଢିଙ୍କିଆରେ ଶତାଧିକ ଲୋକ ଆହତ ହେବା ସହିତ ଅସୁସ୍ଥ ହୋଇ ପଡିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ପାରୁ ନାହିଁ। ଡାକ୍ତରଖାନାକୁ ଲୋକ ଯାଇ ପାରୁ ନାହାନ୍ତି। ଗାଁରେ ଭୟର ବାତାବରଣ ରହିଛି। ଚାରି ଆଡେ ପୁଲିସ ଛାଉଣି କରାଯାଇଥିବା ବେଳେ ସାଧାରଣ ଚଳାଚଳ ଉପରେ ଏକ ପ୍ରକାର କଟକଣା ଭଳି ସ୍ଥିତି ସୃଷ୍ଟି ହୋଇଛି। ଲୋକମାନଙ୍କୁ ଭୟଭିତ କରାଯାଇ ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନିଆଯାଇ ପାନ ବରଜ ଭଙ୍ଗା ଯାଉଛି। ଦସ୍ତଖତ ନ ଦେଲ ମାମଲାରେ ଫସାଇ ଦେବାକୁ ଧମକ ଦିଆଯାଉଛି। ହାଇକୋର୍ଟ ଢିଙ୍କିଆ ସଂପର୍କିତ ଆଜି ଷ୍ଟାଟସ ରିପୋର୍ଟ ସହିତ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଢିଙ୍କିଆରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଂଗ ନେଇ ହାଇକୋର୍ଟରେ ଦୁଇଟି ମାମଲା ଦାୟର ହୋଇଛି। ଜାନୁଆରି ୧୮ରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଜାନୁଆରି ୧୯ରେ ଜଣାଶୁଣା ଆଇନଜୀବୀ ତଥା ସାମାଜିକ କର୍ମୀ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ଆବେଦନର ହାଇକୋର୍ଟ ଶୁଣାଣି କରି ଜାନୁଆରି ୨୦ରେ ଦୁଇ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଢିଙ୍କିଆ ଘଟଣାର ସ୍ବାଧୀନ ତଦନ୍ତ ପ୍ରସଂଗ ନେଇ ଏହି ମାମଲା ଦାୟର କରାଯାଇଛି। ଢିଙ୍କିଆରେ ପୁଲିସ କାର୍ଯ୍ୟାନୁଷ୍ଠାନ ସବୁ ସୀମା ଟପି ଯାଇଥିଲା ବୋଲି ଦର୍ଶାଯାଇଛି। ତୁରନ୍ତ ମୁତୟନ କରାଯାଇଥିବା ପୁଲିସ ଫୋର୍ସ ଢିଙ୍କିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟାହାର ସହିତ ସ୍ଥାନୀୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ସହିତ ବିନା ଆଇନଗତ ପ୍ରକ୍ରିୟା ଅନୁସରଣରେ ଜମି ଅଧିଗ୍ରହଣ କରା ନ ଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର