ଜାଲ୍ ପ୍ରମାଣପତ୍ରରେ କୋଟିଏ ୬ ଲକ୍ଷ ଋଣ ଟଙ୍କା ହଡ଼ପ ଘଟଣା, ୯ ବର୍ଷ ପରେ ୬ ଅଭିଯୁକ୍ତ ଗିରଫ

ଗଣ୍ଡରପୁର ଡ୍ରେନେଜ୍ ବିଭାଗର ପୂର୍ବତନ ଅଧିକାରୀ ମାଷ୍ଟରମାଇଣ୍ଡ୍, ୩୫ ନକଲି କର୍ମଚାରୀଙ୍କ ନାମରେ ୟୁନାଇଟେଡ୍ ବ୍ୟାଙ୍କ ଶାଖାରେ ଖୋଲା ଯାଇଥିଲା ଆକାଉଣ୍ଟ୍‌

କଟକ: ଦୀର୍ଘ ୯ ବର୍ଷ ପରେ ଡ୍ରେନେଜ ବିଭାଗର ଜାଲ କର୍ମଚାରୀ ଭାବେ ‌ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କାର ଋଣ ହଡପ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଣ୍ଡରପୁର ଡ୍ରେନେଜ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ ଓ ଅନ୍ୟ ୫ ଜଣ ଅଛନ୍ତି। ଜାଲ ପ୍ରମାଣପତ୍ର ଦେଇ ପ୍ରଥମେ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଆକାଉଣ୍ଟ ଖୋଲାଯିବା ଏବଂ ପରେ ଜାଲ୍ କର୍ମଚାରୀଙ୍କ ନାମରେ ଋଣ ଉଠାଇ ନେଇ ତାହାକୁ ପରିଶୋଧ ନ କରିବା ଭଳି ଏହି ଚାଞ୍ଚଲ୍ୟକର ଘଟଣାର ଅଭିଯୁକ୍ତ ମାନଙ୍କୁ ୯ ବର୍ଷ ପରେ ଗିରଫ କରାଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଏହି କେଳେଙ୍କାରୀର ମାଷ୍ଟର ମାଇଣ୍ଡ୍ ତଥା ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ସିମୂଳିଆ ଥାନା ସୋମନାଥପୁରର ରବିନ୍ଦ୍ର କୁମାର ଜେନା ( ୬୭)। ସେ କଛି ବର୍ଷ ହେବ ଭଦ୍ରକ ଜିଲ୍ଲା ଟାଉନ ଥାନା ଚରମ୍ପା ବୈକୁଣ୍ଠ ବିହାରରେ ରହି ଆସୁଛି। ଅନ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଛନ୍ତି ଜଗତପୁର ଥାନା ଲକ୍ଷ୍ମୀନାରାୟଣପୁର ମହାଜନପୁରର ନିମାଇଁ ଚରଣ ବାରିକ (୬୦) , ମଧୁସୂଦନ ବେହେରା ( ୬୯ ), ଶ୍ରୀଧର ବାରିକ (୬୨), ସତ୍ୟଭାମାପୁ୍ରର ପୂର୍ଣ୍ଣ ଚରଣ ସାହୁ ( ୫୨ ) ଏବଂ ବହୁଗ୍ରାମର କିଶୋର କୁମାର ରାୟ ( ୪୪)।

ପୁଲିସ୍ ସୂଚନା ମୁତାବକ ୨୦୧୨ରେ କଟକ ଗଣ୍ଡରପୁର ସ୍ଥିତ ଡ୍ରେନେଜ୍ ବିଭାଗର ତତ୍କାଳୀନ ପ୍ରଶାସନିକ ଅଧିକାରୀ ତଥା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ଜେନା କିଛି ଲୋକଙ୍କୁ ବ୍ୟାଙ୍କରୁ ଋଣ କରାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଖସିଯିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ନିଜର ଯୋଜନା ମୁତାବକ ପ୍ରଥମେ ୨୦୧୨ ମସିହା ମାର୍ଚ୍ଚ ମାସରେ ଜଗତପୁର ସ୍ଥିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜାଲ ପ୍ରମାଣପତ୍ର ଦେଇ ୪୫ଟି ସଞ୍ଚୟ ଖାତା ଖୋଲିଥିଲେ। ସଞ୍ଚୟ ଖାତାରେ ନକଲି କର୍ମଚାରୀଙ୍କ ଦରମା ମଧ୍ୟ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ। ପରେ ସେଥିମଧ୍ୟରୁ ୩୬ ଜଣ ନକଲି କର୍ମଚାରୀଙ୍କ ଲୋନ ପାଇଁ ବ୍ୟାଙ୍କ ସହିତ ଅଭିଯୁକ୍ତ ରବୀନ୍ଦ୍ର ଜେନା  ପରାମର୍ଶ କରିଥିଲେ। ଅଭିଯୁକ୍ତର ନକଲି କାଗଜପତ୍ରକୁ ଅସଲ୍ ଭାବି ବ୍ୟାଙ୍କ୍ ୧ କୋଟି ୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲା। ଋଣ ପରିଶୋଧର ୨/୩ ଟି କିସ୍ତି ପରେ ନକଲି କର୍ମଚାରୀ ତଥା ଅଭିଯୁକ୍ତ ଆଉ ଟଙ୍କା ବ୍ୟାଙ୍କକୁ ପରିଶୋଧ କରିନଥିଲେ l ବ୍ୟାଙ୍କ ଋଣ ପରିଶୋଧ କରି ନପାରି ଏସମ୍ପର୍କରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ଉଦ୍ୟମ କଲାବେଳେ ଜାଣିବାକୁ ପାଇଥିଲା ଯେ ଋଣଧାରୀ ମାନେ ସମସ୍ତେ ନକଲି କର୍ମଚାରୀ। ଏହି ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ଜେନା ବୋଲି ଜଣା ପଡିଥିଲା। ବ୍ୟାଙ୍କ ପକ୍ଷରୁ ଜଗତପୁର ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ମାମଲା (କେସ ନଂ – ୯ ୯/୧ ୩) ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା। ଦୀର୍ଘ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଡ୍ରେନେଜ ବିଭାଗ ଅଧିକାରୀ ରବୀନ୍ଦ୍ର ଜେନା ସମେତ ୫  ଜଣ ଅଭିଯୁକ୍ତଙ୍କୁ ପୁଲିସ  ଗିରିଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର