୧୫ରୁ କାର୍ତ୍ତିକେଶ୍ବର ପୂଜା: ୨୦ ଓ ୨୧ରେ ଭସାଣି; ନିୟୋଜିତ ହେବେ ୧୫ ପ୍ଲାଟୁନ ଫୋର୍ସ

କଟକ: ଦୁର୍ଗାପୂଜା ଓ କାଳୀପୂଜା ଶୈଳୀରେ କଟକରେ ଆୟୋଜିତ ହେବ କାର୍ତ୍ତିକେଶ୍ଵର ପୂଜା। ପୂଜା ମଣ୍ଡପରେ ୭ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ। କେବଳ ମଣ୍ଡପରେ ଆଲୋକ ବ୍ୟବସ୍ଥା ହେବ। ସେହିପରି ୨୦ ଓ ୨୧ ତାରିଖ ଭସାଣି ଉତ୍ସବରେ ସ୍ଲଟ୍‌ ଅନୁଯାୟୀ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ୧୫ ତାରିଖରୁ ପୂଜା ଆରମ୍ଭ ହେଉଥିବା ବେଳେ ୨୦ ଓ ୨୧ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ଭସାଣି ଆରମ୍ଭ ହୋଇ ସନ୍ଧ୍ୟା ୬ଟା ମଧ୍ୟରେ ଶେଷ କରାଯିବ। ଏହି ସମୟକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟ ଦିନ ୧୦ଟାରୁ ୧୨ଟା, ଦ୍ୱିତୀୟ ପର୍ଯ୍ୟାୟ ଦିନ ୧୨ଟାରୁ ୨ଟା, ତୃତୀୟ ପର୍ଯ୍ୟାୟ ଦିନ ୨ଟାରୁ ୪ଟା ଓ ଚତୁର୍ଥ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଧାର୍ଯ୍ୟ କରାଯାଇଛି।

ପ୍ରାୟ ୮୭ ମଣ୍ଡପରେ ପୂଜା ହେବ। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରମୁଖ ଛକଗୁଡ଼ିକରେ ଏଡ୍‌ ପୋଷ୍ଟ କରାଯିବ। ଏଥିପାଇଁ  ୫୦ ଅଫିସର ଓ ୧୫ ପ୍ଲାଟୁନ୍‍ ଫୋର୍ସ ନିୟୋଜିତ ହେବେ। କେବଳ ପୂଜା ମଣ୍ଡପରେ ଆଲୋକ ସଜ୍ଜା ହେବ। ଏହାସହ ଡାକବାଜି ଯନ୍ତ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‍ ଲଗାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।

ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଡିସିପି ଅନିଲ ମିଶ୍ର, ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ, କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ ଓ ସମ୍ପାଦକ ପ୍ରଫୁଲ୍ଲ ସାହୁଙ୍କ ସମେତ ସମସ୍ତ ଜୋନ୍‍ର ଏସିପି ଓ ଥାନା ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର