ଅବହେଳିତ ଅବସ୍ଥାରେ ଉରାଳି ଶ୍ରୀଦଧିବାମନଜିଉ ମନ୍ଦିର

୪୦୦ ବର୍ଷର ପୀଠ, ନୀତିକାନ୍ତି ପାଇଁ ନାହିଁ ସମ୍ବଳ

କଟକ: ଉରାଳୀସ୍ଥିତ ୪୦୦ ବର୍ଷର ପୁରାତନ ପୀଠ ଶ୍ରୀଦଧିବାମନଜିଉ ମନ୍ଦିର। ପୁରୀ ଗଜପତି ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ଏହି ମନ୍ଦିର। ଗଜପତି ଶ୍ରୀ ରାମଚନ୍ଦ୍ର ଦେବ ଶ୍ରୀଜିଉଙ୍କ ନୀତିକାନ୍ତି ପାଇଁ ଜମି ମଧ୍ୟ ଦାନ କରିଥିଲେ। ମୂଳ ମନ୍ଦିର ଏବେ ବିଲୀନ ହୋଇଯାଇଛି। ସିଢ଼ୁଆ ନଦୀରେ ମନ୍ଦିର ଲୀନ ହୋଇଥିବା କିଛି ଲୋକ କହୁଥିଲା ବେଳେ କେହିକେହି ମନ୍ଦିରକୁ କଳାପାହାଡ଼ ଆକ୍ରମଣ କରି ନଷ୍ଟ କରିଥିଲା ବୋଲି କୁହନ୍ତି। କିନ୍ତୁ, ଶ୍ରୀଜିଉଙ୍କ ବିଗ୍ରହକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନୂଆ ମନ୍ଦିରରେ ସ୍ଥାପନ କରିଛନ୍ତି। ହେଲେ, ଶ୍ରୀଜିଉଙ୍କ ଦୈନିକ ନୀତିକାନ୍ତି ଓ ବିଭିନ୍ନ ପର୍ବପର୍ବାଣୀ ପାଳନ ପାଇଁ ଏବେ ଆବଶ୍ୟକ ଅର୍ଥ ନାହିଁ। ମନ୍ଦିରକୁ ଦେବୋତ୍ତର ବିଭାଗ ହାତକୁ ନେଇଛି। କିନ୍ତୁ, ମନ୍ଦିର ପରିଚାଳନା କମିଟିର ଆର୍ଥିକ ସଂକଟ ସମାଧାନ ହେଉନାହିଁ। ବିଗ୍ରହ ପ୍ରତି‌ଷ୍ଠା ହୋଇଥିଲେ ମଧ୍ୟ ମନ୍ଦିରର ନିର୍ମାଣକାର୍ଯ୍ୟ ଅଧାପାନ୍ତରିଆ ହୋଇରହିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବା ସହ ଏହି ପ୍ରାଚୀନ ପୀଠର ଉନ୍ନତୀକରଣ କରିବାକୁ ସାଧାରଣରେ ଦାବି କରାଯାଇଛି। ପ୍ରକାଶଥାଉ କି, କଟକ ସହର ଉପକଣ୍ଠ ଉରାଳୀସ୍ଥିତ ସିଢ଼ୁଆ ନଦୀକୂଳରେ ଥିବା ୪୦୦ ବର୍ଷର ପୁରାତନ ପୀଠ ଶ୍ରୀଦଧିବାମନଜିଉ ମନ୍ଦିର ନୀତିକାନ୍ତି ପାଇଁ ଗଜପତି ଦ୍ବିତୀୟ ରାମଚନ୍ଦ୍ର ଦେବ ପାଖାପାଖି ୪୯ଏକର ଜମି ଦେଇଥିଲେ। ସିଢ଼ୁ୍ଆ ନଦୀ‌‌ ସ୍ରୋତରେ ହେଉ ବା କଳା ପାହାଡ଼ ଆକ୍ରମଣରେ ହେଉ ମନ୍ଦିର ଭାଙ୍ଗିରୁଜି ଯାଇଥିଲା। ଉରାଳୀ ଗ୍ରାମବାସୀ ନଦୀରୁ ପୁରୁଣା ବିଗ୍ରହମାନଙ୍କୁ ଉଦ୍ଧାର କରି ରଖିଥିଲେ। ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁମାନେ ୨୦୨୨ରେ ନୂତନ ମନ୍ଦିର ପ୍ରତିଷ୍ଠା କରି ଉଦ୍ଧାର କରିଥିବା ବିଗ୍ରହଙ୍କୁ ସ୍ଥାପନ କରିଥିଲେ।

ମନ୍ଦିର ପରିସରରେ ଶ୍ରୀଦଧିମବାନଜିଉଙ୍କ ସମେତ ମା’ ଲକ୍ଷ୍ମୀ, ମା’ ବିମଳା, ମା’ ବଗଳାଙ୍କ ପୀଠ ପ୍ରତି‌ଷ୍ଠା ହୋଇଛି। ପୁରୀରେ ହେଉଥିବା ନୀତି ଏଠାରେ ଅନୁରୂପ ଭାବେ ପ୍ରଚଳିତ ହେଉଛି। ଦୈନିକ ନୀତି ସମେ‌ତ ବର୍ଷରେ ନେତ୍ର ଉତ୍ସବ, ନବଯୌବନ ଦର୍ଶନ, ରଥଯାତ୍ରା, ଚନ୍ଦନ ଯାତ୍ରା, ଦୋଳ ଉତ୍ସବ, ଶୀତଳ ଷଷ୍ଠୀ, ଜାଗର, ବାମନ ଜନ୍ମ ଭଳି ସମସ୍ତ ପାରମ୍ପରିକ ଯାନିଯାତ୍ରା ଏଠାରେ ପାଳନ କରାଯାଉଛି। ଅନ୍ୟପଟେ, ପୁରୀ ଗଜପତି ଦ୍ବିତୀୟ ରାମଚନ୍ଦ୍ର ଦେବ ଦାନ କରିଥିବା ଅଧିକାଂଶ ଜମିର ହିସାବ ନାହିଁ। ନୂଆ ମନ୍ଦିର ଗଢ଼ି ଉଠିଥିବା ଜମି ସମେତ ଉରାଳୀ ଓ ଭାଣପୁର ମୌଜାରେ କେବଳ ୬ରୁ ୭ଏକର ଜମି ଶ୍ରୀଜିଉଙ୍କ ନାମରେ ଅଛି। ମନ୍ଦିରରେ ଠାକୁରଙ୍କ ପ୍ରତିଷ୍ଠା ସରିଥିଲେ ମଧ୍ୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ମନ୍ଦିର ବେଢ଼ା, ପାଚେରି, ଉତ୍ତର ଓ ପଶ୍ଚିମ ଦ୍ବାର ଭଳି ଅନେକ କାର୍ଯ୍ୟ ବାକି ରହିଛି। ବିଭିନ୍ନ ଉତ୍ସବ ଆୟୋଜନ ସହ ‌ଦୈନିକ ନୀତିକାନ୍ତି, ସେବକ, ପୂଜକଙ୍କ ପାଉଣା ପୈଠ କରିବାକୁ ବି’ ସମ୍ବଳ ନାହିଁ। ୧୯୮୦ରେ ରାଜ୍ୟ ଦେବୋତ୍ତର କମିସନ ମନ୍ଦିର ପରିଚାଳନା ଦାୟିତ୍ବ ନେଇଥିଲା ବେଳେ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। କିନ୍ତୁ କମିସନ୍‌ଙ୍କ ପକ୍ଷରୁ ନିୟମିତ ଭିତ୍ତିରେ କୌଣସି ଆର୍ଥିକ ସହାୟତା ମିଳୁନାହିଁ। ମନ୍ଦିର ଟ୍ରଷ୍ଟି ଅତିଥିଚରଣ ସାହୁଙ୍କ କହିବା ଅନୁସାରେ, ଶ୍ରୀଦଧିବାମନଜିଉଙ୍କ ମୂଳ ମନ୍ଦିର ଭାଙ୍ଗିଯିବା ପରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ୨୦୨୨ରେ ନୂଆ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ମନ୍ଦିରର ଅନେକ କାମ ବାକି ରହିଛି। ଅର୍ଥାଭାବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଦୈନିକ ନୀତି ପାଇଁ ବି’ ଅର୍ଥର ଅଭାବ ରହିଛି। ଯେଉଁ ଜମି ଥିଲା, ସେଥିରେ ଚାଷ ହେବାରୁ କିଛି ଅର୍ଥ ଆସୁଥିଲା। ଏବେ ଜମି ପଡ଼ିଆ ପଡ଼ିଛି। ରଥଯାତ୍ରା ଆୟୋଜନରେ ୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଗତବର୍ଷ ଦେବୋତ୍ତର ବିଭାଗ ମାତ୍ର ୫୦ହଜାର ଟଙ୍କା ଦେଇଥିଲା। ମନ୍ଦିରର ନୀତିକାନ୍ତି, ଉତ୍ସବ ଆୟୋଜନ ସହ ଅବଶିଷ୍ଟ ନିର୍ମାଣକାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ନ ମିଳିଲେ ଏହା ପୂର୍ବଭଳି ଅବହେଳିତ ହୋଇରହିବ ବୋଲି ଟ୍ରଷ୍ଟି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର