ମଶା ଭଣଭଣ: ଧୂଆଁ ନାହିଁ କି ତେଲ ନାହିଁ, ଖର୍ଚ୍ଚ କିନ୍ତୁ ଲକ୍ଷାଧିକ

କଟକ: ସହରରେ ଏମେ ମଶା ଭଣଭଣ। ରାସ୍ତାରେ ଚାଲିଲେ ବି ମଶା ଗୋଡ଼ାଇଲା ଭଳି ସ୍ଥିତି। ମଶା ନିପାତ ପାଇଁ ସିଏମ୍‌ସି ପକ୍ଷରୁ ପ୍ରତି ସଂଧ୍ୟାରେ ଧୂଆଁ ଦେବାର ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଛି। ମାତ୍ର ସହରରେ ମଶାଙ୍କ ସଂଖ୍ୟା ଦେଖିଲେ ମଶା ଧୂଆଁ‌ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ମହାନଗର ନିଗମ ପକ୍ଷରୁ ମଶାର ପ୍ରତିକାର ପାଇଁ ଚଳିତ ମାସ ୧୦ ତାରିଖରୁ ପ୍ରତି ୱାର୍ଡରେ ମଶା ଧୂଆଁ ବା ଫଗିଙ୍ଗର ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ନଭେମ୍ବର ୧୦ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ନିଗମର ୫୯ଟି ୱାର୍ଡରେ ଏହା କରିବାକୁ ଚିଠା ପ୍ରସ୍ତୁତ ହୋଇଛି। ଏଥିପାଇଁ ପ୍ରତି ୱାର୍ଡକୁ ୨ଟି ‌ହ୍ୟାଣ୍ଡ ମେସିନ ସହିତ ମେସିନ୍‌ ପିଛା ୧୦ ଲିଟର ଡିଜେଲ ଓ ୨ ଲିଟର ପେଟ୍ରୋଲ ମିଳୁଛି। ଏହା ସହିତ ପ୍ରତି ୱାର୍ଡ ପାଇଁ ଦୁଇ ଜଣ ଧୂଆଁ ଦେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମଶା ଧୂଆଁ ପାଇଁ ପ୍ରତି ୱାର୍ଡ ପିଛା ମୋଟ ୨୦ ଲିଟର ଡିଜେଲ ଓ ୪ ଲିଟର ପେଟ୍ରୋଲ ଦିଆଯାଉଛି।

୨୦ ଲି‌ଟର ଡିଜେଲ ବାବଦକୁ ଆଜିର ତେଲ ଦରରେ ୧୮ଶହ ୪୦ଟଙ୍କା ଓ ୪ ଲିଟର ପେଟ୍ରୋଲ ବାବଦରେ ୪୦୮ଟଙ୍କା ଖର୍ଚ୍ଚ ହେଉଛି। ଗୋଟିଏ ୱାର୍ଡକୁ କେବଳ ତେଲ ବାବଦକୁ ୨୨ଶହ ୪୮ଟଙ୍କା ମିଳୁଛି। ଏହି ହାରରେ ୫୯ଟି ୱାର୍ଡରେ ତେଲ ବାବଦରେ ଏକ ଲକ୍ଷ ୩୨ ହଜାର ୬୩୨ ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ଧୂଆଁ ଦେବାକୁ ୨ଜଣ କର୍ମଚାରୀଙ୍କ ପିଛାରେ ଜଣକା ୩୧୫ ଟଙ୍କା ହିସାବରେ ୫୯ଟି ୱାର୍ଡ ପାଇଁ ୩୭ ହଜାର ୧୭୦ ଟଙ୍କା ଖର୍ଚ୍ଚ ହେବ। ସେହିପରି ୱାର୍ଡରେ ଟିଫା ମେସିନ ବୁଲାଇବା ପାଇଁ ବ୍ୟବହାର ହେଉଥିବା ଗାଡିର ତେଲର ଅଲଗା ହିସାବ ରହିଛି। ମଶାଧୂଆଁ ବାବଦରେ ସିଏମ୍‌ସିର ୫୯ଟି ୱାର୍ଡରେ ତେଲ ଓ କର୍ମଚାରୀ ବାବଦରେ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। ମହାନଗର ନିଗମ ପକ୍ଷରୁ ଏହା ପୂର୍ବରୁ ଗତ ଅଗଷ୍ଟ ଓ ସେ‌ପ୍ଟେମ୍ବରରେ ପ୍ରତି ୱାର୍ଡରେ ବୁସ୍‌ କଟିଂ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ନିଗମ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମଶା ଧୂଆଁ ଓ ବୁସ୍‌ କଟିଂ କାମ କରାଯାଉ ଥିବା କୁହାଯାଉଥିବା ବେଳେ ମଶା ବଂଶ ବଢି ଚାଲିବା ଘଟଣା ଯୋଜନାର ବାସ୍ତବ ସ୍ଥିତିକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର