ଦରବୃଦ୍ଧି ବଢ଼ାଇଛି ଚିନ୍ତା, ଆଶା ଆଶଙ୍କାରେ ପିତ୍ତଳ ବାସନ ବ୍ୟବସାୟୀ

କଟକ: ବିଶ୍ବାସ ରହିଛି ଯେ ଧନତେରାସରେ ସୁନା, ରୂପା ଗହଣା ସାମଗ୍ରୀ ସହିତ ବାସନକୁସନ କିଣିଲେ ଶୁଭ ହୁଏ। ଧନତେରାସ୍‌ ଠାରୁ ଆରମ୍ଭକରି ଦୀପାବଳି ଯାଏଁ ତିନି ଦିନ ଧରି ଲୋକେ ଏହି ସବୁ ସାମଗ୍ରୀ କିଣିଥାନ୍ତି। ବାସନକୁସନ ମଧ୍ୟରେ ଲୋକ ଖାସ୍‌ କରି ଏହି ଧନତେରସ୍‌ରେ ପିତଳ ବାସନକୁସନ ଅଧିକ କିଣନ୍ତି। ଦୋକାନ ମାନଙ୍କରେ ଏହି ତିନି ଦିନ ଖବ୍‌ ଭିଡ଼ ମଧ୍ୟ ଲାଗି ରହିଥାଏ। ହେଲେ କରୋନା ଓ ଦର ବୃଦ୍ଧି ଚଳିତବର୍ଷ ବେପାରୀଙ୍କୁ ନିରାଶ କରିଦେଇଛି। ଗତବର୍ଷ ଦୋକାନୀ ମାନେ ବହୁ କ୍ଷତିର ସାମ୍ନା କରିଥିବାବେଳେ ଚଳିତବର୍ଷ ଯାହା ଦୁଇ ପଇସା ରୋଜଗାର ପାଇଁ ଆଶା ବାନ୍ଧିଥିଲେ ସେଥିରେ ଦର ବୃଦ୍ଧି ଦୋକାନୀଙ୍କୁ ନିରାଶ କରିଛି। କଂସା ବାସନ କିଲୋ ପିଛା ୮୮୦ ଟଙ୍କାରୁ ୯ଶହ ଟଙ୍କା ରହିଥିବାବେଳେ ପିତଳ ବାସନ କିଲୋ ପିଛା ୬୫୦ ଟଙ୍କା, ତମ୍ବା ୧୪ଶହରୁ ୧୫ଶହ ଟଙ୍କା ଦର ରହିଛି। ଗତବର୍ଷ ଅପେକ୍ଷା ୨ଶହଟଙ୍କା କିଲୋ ପିଛା ଦର ବୃଦ୍ଧି ହେବ‌ା ଏବେ ବ୍ୟବସାୟୀଙ୍କ ଚିନ୍ତାର କାରଣ ପାଲଟିଛି। ଧନତେରାସ୍‌ରୁ ଦୀପାବଳି ତିନି ଦିନ ମଧ୍ୟରେ ଦୋକ‌ାନୀ ୪୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିବାବେଳେ ଗତବର୍ଷ ବେପାର ୧୦ ହଜାର ଛୁଇଁ ନଥିଲା। ସେହିପରି ସରକାରଙ୍କ କଟକଣା ମଧ୍ୟ ଦୋକାନୀଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ବର୍ଷକର ୫୦ ପ୍ରତିଶତ ବେପାର ଏହି ତିନି ଦିନରେ ହେଉଥିବା ବେଳେ କରୋନା ଓ ଦର ବୃଦ୍ଧି ପାଇଁ ଚଳିତବର୍ଷ ୨୫ ପ୍ରତିଶତ ବେପାର ରହିବ ବୋଲି ବ୍ୟବସାୟୀ ପ୍ରକାଶ କରିଛନ୍ତି।

 

ଦରବୃଦ୍ଧି ଅଧିକ ଚିନ୍ତା ବଢ଼ାଇଛି
ବେପାର ପାଇଁ ଏହା ପ୍ରକୃଷ୍ଠ ସମୟ। ହେଲେ ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ଧନତେରାସ୍‌କୁ ନଜରରେ ରଖି ଗ୍ରାହକ ଜିନିଷ କିଣିବେ ନିଶ୍ଚିତ ହେଲେ ଯେଉଁଠି ୫ ହଜାର ଟଙ୍କାର ଜିନିଷ କିଣୁଥିଲେ ଏବେ ତାହା ୧ ହଜାରକୁ ଆସି ଯିବ। ବର୍ଷକ ମଧ୍ୟରେ ଧନତେରାସ୍‌ ଠାରୁ ଦୀପାବଳି ଏହି ତିନି ଦିନ ପର୍ଯ୍ୟନ୍ତ ବେପାର ବଢ଼ିଆ ହୋଇଥାଏ। ହେଲେ ଗତବର୍ଷ ବେପାର ସମ୍ପୂର୍ଣ୍ଣ ମାନ୍ଦା ହୋଇଛି। ଚଳିତ ବର୍ଷ ଯାହା ଆଶା କରିଥିଲି ଏବେ ବେପାର ତାହା ହେବ କି ନାହିଁ ଆଶଙ୍କା ରହିଛି।
କାଳନ୍ଦୀ ଚରଣ ମହାରଣା
ମହାରଣା ବର୍ତ୍ତନ ଭଣ୍ତାର, ଜାଉଁଳିଆ ପଟି, ଚୌଧୁରୀବଜାର

ଦରବୃଦ୍ଧି କାଳ ସାଜିବ
ଗ୍ରାହକ ଦୋକାନକୁ ଆସିଲେ ଆବଶ୍ୟକତାଠାରୁ ଅଧିକ ମଧ୍ୟ ଜିନିଷ କିଣିଥାନ୍ତି। ହେଲେ ଗତବର୍ଷ କରୋନା ପାଇଁ ଦୋକାନ ଆସିବାକୁ ଭୟ କରୁଥିଲେ। ଏବେ ଦର ବୃଦ୍ଧି ପାଇଁ ଆସିବାକୁ ଭୟ କରିବେ। ଧନତେରାସ୍‌ରେ ବାସନକୁସନ କିଣିବା ପରମ୍ପରା ରହିଥିବାରୁ ଗ୍ରାହକ ଆସିବେ ସତ ହେଲେ ବେପାର ସେପରି ହେଲା ଭଳି ଲାଗୁନି।
ସୁଦୀପ ସାହୁ,
ଶ୍ରୀଲକ୍ଷ୍ମୀ ବ୍ରାସ୍‌ ଆଣ୍ତ ବେଲ୍‌ ମେଟାଲ୍ସ ‌ଷ୍ଟୋର୍‌, ଜାଉଁଳିଆପଟି, ଚୌଧୁରୀବଜାର

୨୦ ପ୍ରତିଶତ ବେପାର ହେବ ବୋଲି ଆଶା
କରୋନା ଯୋଗୁଁ ବହୁ ଲୋକଙ୍କର ଆର୍ଥିକ ସମସ୍ୟା ଦେଖା ଦେଇଛି। ସେଥିରେ ଏହି ଦର ବୃଦ୍ଧି ମୁଖ୍ୟ ସମସ୍ୟା ପାଲଟିଯାଇଛି। ଏହାସହ କୋଭିଡ଼ କଟକଣା ମଧ୍ୟ ହାତବାନ୍ଧି‌ ଦେଉଛି।
ଜ୍ଞାନେନ୍ଦ୍ର କୁମାର ସେଠୀ
ବ୍ରାସ୍‌ ଆଣ୍ତ ବେଲ୍‌ ମେଟାଲ୍ସ, କେଉଟସାହି, ଚୌଧୁରୀବଜାର

ସମ୍ବନ୍ଧିତ ଖବର