କଟକ-ମହାନଦୀବିହାର : ବିରିଆନି ଖାଇବାକୁ ଓହ୍ଲାଇଥିଲେ, ଦୁର୍ବୃତ୍ତମାନେ କାର‌୍‌ କାଚ ଭାଙ୍ଗି ଲୁଟିନେଲେ ୪ ଲକ୍ଷ

କଟକ-ମହାନଦୀବିହାର : ଜଣେ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କୁ ବିରିଆନି ଖାଇବାକୁ ଯିବା ମହଙ୍ଗା ପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କ କାର୍‌ କାଚ ଭାଙ୍ଗି କାର୍‌ ଭିତରୁ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦିନ ଦ୍ବିପ୍ରହରରେ କଟକର ମହାନଦୀବିହାର ରାସ୍ତାରେ ଏଭଳି ଲୁଟ୍ ହୋଇଛି। ଚାଉଳିଆଗଞ୍ଜ ଥାନାରେ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ପାଖ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନମାନଙ୍କରେ ଲାଗିଥିବା ସିସି କ୍ୟାମେରାକୁ ପୁଲିସ ଯାଞ୍ଚ କରିଛି। କିନ୍ତୁ ଦୁର୍ବୃତ୍ତଙ୍କ ସଂପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଶ୍ରୀରାମ ସିକ୍ୟୁରିଟି ସର୍ଭିସେସ୍‌ର ମାଲିକ ପ୍ରଶାନ୍ତ କୁମାର ସେନାପତି ମହାନଦୀବିହାରସ୍ଥିତ ଆକ୍ସିସ୍‌ ବ୍ୟାଙ୍କରୁ ୬ ଲକ୍ଷ ୮ହଜାର ଟଙ୍କା ଉଠାଇଥିଲେ। ଜଣେ ସିକ୍ୟୁରିଟି କର୍ମଚାରୀଙ୍କୁ ଡାକି ୧ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ହାତରେ ଦେଇ ଅନ୍ୟ କର୍ମଚାରୀମାନଙ୍କୁ ଏହି ଟଙ୍କାରୁ ଦରମା ଦେଇଦେବାକୁ ସେ କହିଥିଲେ। ବଳକା ୪ ଲକ୍ଷ ୨୮ ହଜାର ଟଙ୍କାକୁ ସେ ସାଙ୍ଗରେ ନେଇ ଆସିଥିଲେ। ୨୮ ହଜାର ଟଙ୍କା ନିଜ ପକେଟ୍‌ରେ ରଖିଥିଲା ବେଳେ ୪ ଲକ୍ଷ ଟଙ୍କାକୁ ଏକ ବ୍ୟାଗରେ ପୂରାଇ କାର‌୍‌ ପଛ ସିଟରେ ବସିଥିଲେ। ସେ ସେଠାରୁ ଭୁବନେଶ୍ବର ବାହାରିଥିବା ବେଳେ ବ୍ୟାଙ୍କଠାରୁ ପାଖାପାଖି ୧୦୦ ମିଟର ଦୂରରେ ଥିବା ଏକ ଦୋକାନରୁ ବିରିୟାନି କିଣିବା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। ପ୍ରଶାନ୍ତ କାର୍‌ରୁ ଓହ୍ଲାଇ ଚାଲିଚାଲି ଦେକାନ ଆଡ଼କୁ ଯାଉଥିବା ବେଳେ ଦୋକାନ ପାଖରେ ପଛରୁ କେହି ଜଣେ ଡାକ ପକାଇଥିଲା। ଏହାଶୁଣି ପ୍ରଶାନ୍ତ ପଛକୁ ଚାହିଁବା ବେଳେ ତାଙ୍କ ପର୍ସରୁ କିଛି ଟଙ୍କା ପଡ଼ିଯାଇଛି ବୋଲି ଉକ୍ତ ବ୍ୟକ୍ତି ଜଣକ ବଡ଼ ପାଟିରେ କହିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ଧ୍ୟାନ ହଟିଯିବାରୁ ଏହାର ଫାଇଦା ନେଇ ପୂର୍ବରୁ ସଜାଗ ହୋଇ ରହିଥିବା ଅନ୍ୟ ଜଣେ ଦୁର୍ବୃତ୍ତ କାର‌୍‌ର ପଛ କାଚ ଭାଙ୍ଗି ଭିତରେ ଥିବା ବ୍ୟାଗକୁ ନେଇ ଦୌଡ଼ିବାକୁ ଲାଗିଥିଲେ। ସେହି ସମୟରେ ପ୍ରଶାନ୍ତଙ୍କୁ ପଛରୁ ଡାକିଥିବା ବ୍ୟକ୍ତି ଜଣକ ମଧ୍ୟ ବାଇକ୍‌ ଚଳାଇ ଖସି ଯାଇଥିଲା। କିଛି ଦୂର ଗଲାପରେ ଦୁଇ ଦୁର୍ବୃତ୍ତ ଏକାସାଙ୍ଗରେ ଜାତୀୟ ରାଜପଥ ଆଡ଼କୁ ଫେରାର‌୍‌ ହୋଇଯାଇଥିବା କୁହାଯାଉଛି। ଏହି ଘଟଣା ସ˚କ୍ରାନ୍ତରେ ପ୍ରଶାନ୍ତ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର