ଶୈଳବାଳା ମହିଳା କଲେଜ ଜମି ସଂସ୍କୃତି ବିଭାଗ ନେବା ଘଟଣା, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ଓ ସଂସ୍କୃତି ସଚିବଙ୍କୁ ପୁରାତନ ଛାତ୍ରୀ ସଂସଦର ସ୍ମାରକପତ୍ର

କଟକ: ଶୈଳବାଳା ସ୍ବୟଂଶାସିତ ମହିଳା କଲେଜର ମଧୁ ସ୍ମୃତି, ଖେଳ ପଡ଼ିଆ ଓ ନୂଆ ହଷ୍ଟେଲ ସଂସ୍କୃତି ବିଭାଗ ନେବାକୁ ବିରୋଧ କରି କଲେଜର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ଓ ସଂସ୍କୃତି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଲେଜର ମଧୁ ସ୍ମୃତି ଭବନ, ଖେଳ ପଡ଼ିଆ ଓ ନୂଆ ହଷ୍ଟେଲକୁ ସଂସ୍କୃତି ବିଭାଗ ନେବାକୁ ଯୋଜନା କରିଥିବା ବେଳେ ମଧୁ ସ୍ମୃତି ପାଇଁ ସଂକଳ୍ପ ପତ୍ର ତଥା ରିଜୋଲୁସନ୍‌ କରିସାରିଛି। କଲେଜର କୋଠା, ଜମି ଓ ହ‌େଷ୍ଟଲକୁ ସଂସ୍କୃତି ବିଭାଗ ନେଇଗଲେ କଲେଜକୁ ମିଳିଥିବା ବିଭିନ୍ନ ମାନ୍ୟତା ଓ ସୁଯୋଗ କଟିବା ସୁନିଶ୍ଚିତ ହୋଇଛି। ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉ ଥିବା ବେଳେ ଆଜି ପୁରାତନ ଛାତ୍ରୀ ସଂସଦ ତରଫରୁ ସରକାରଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରଥମ ଓ ଦେଶର ତୃତୀୟ ମହିଳା କଲେଜ ଭାବେ ୧୯୧୩ରେ ସ୍ଥାପିତ ହୋଇଥିଲା ଶୈଳବାଳା ମହିଳା କଲେଜ। ପ୍ରଥମେ ଏହା ରେଭେନ୍ସା ବାଳିକା ସ୍କୁଲରେ ଆରମ୍ଭ ହୋଇଥିଲା। ୧୯୨୨ ଫେବ୍ରୁଆରି ୨ ତାରିଖରେ ରାଜ୍ୟ ସରକାରଙ୍କୁ ମଧୁ ବାବୁଙ୍କ ଝିଅ ଶୈଳବାଳା ଦାସ ମଧୁସୂଦନ ଦାସଙ୍କ କୋଠା ଓ ଜାଗାକୁ ଗିଫ୍ଟ ଡିଡ୍‌ରେ ବା ଉପହାର ଚୁକ୍ତିରେ ପ୍ରଦାନ କରିଥିଲେ। ଡିଡ୍‌ରେ ମଧୁ ସ୍ମୃତି ଭବନର ଉପର ମହଲାରେ ଥିବା ଦୁଇଟି କୋଠରୀକୁ ଛାଡି ଅନ୍ୟ ସମସ୍ତ ଗୃହ ଓ ଜାଗାକୁ ନାରୀ ଶିକ୍ଷା ପାଇଁ ବ୍ୟବହାର କରିବାକୁ ଉଲ୍ଲେଖ ରହିଛି।

ମାତ୍ର ଏବେ ମଧୁ ସ୍ମୃତି କୋଠାକୁ ସଂସ୍କୃତି ବିଭାଗ ନିଜ ଅଧୀନକୁ ନେବାକୁ ସଂକଳ୍ପ ପତ୍ର ଜାରି କରିଛି। ଏଥିରେ ଶୈଳବାଳା ଦାସ ସରକାରଙ୍କ ସହିତ କରିଥିବା ଗିଫ୍ଟ ଡିଡ୍‌ର ଖୋଲା ଉଲ୍ଲଂଘନ ହେଉଥିବାର ଅଭିଯୋଗ ହୋଇଛି। ଏହା ସହ ଚଣ୍ଡୀମନ୍ଦିର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ କଲେଜର ଖେଳ ପଡ଼ିଆ ଓ ନୂତନ ଭାବେ ୬ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଜି ପ୍ଲସ୍‌ ୪ କୋଠାକୁ ନେବାକୁ ସ୍ଥିର କରିଛି। ରାଜ୍ୟ ସଂସ୍କୃତି ବିଭାଗ କଲେଜର କୋଠା, ଖେଳ ପଡ଼ିଆ ଓ ନୂଆ ହଷ୍ଟେଲକୁ ନେଇଗଲେ କଲେଜକୁ ୟୁଜିସି ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବନ୍ଦ ହେବା ସହ ମିଳିଥିବା ସ୍ବୟଂଶାସିତ ମାନ୍ୟତା ହରାଇବା ସୁନିଶ୍ଚିତ ହୋଇଛି। ଅନ୍ୟପଟେ ଦୀର୍ଘ ବର୍ଷ ଧରି କଲେଜକୁ ବିଶ୍ବବିଦ୍ୟାଳୟର କରିବା ଦାବି ମଉଳିବାକୁ ବସିଛି। କଲେଜର ଭିତ୍ତିଭୂମିକୁ ସଂସ୍କୃତି ବିଭାଗ ନେଇଗଲେ କଲେଜର ଅନେକ କ୍ଷତି ହେବ। ଏହାକୁ ବିରୋଧ କରାଯିବା ସହ ଏହା ଉପରେ ଚିନ୍ତା କରି କଲେଜର ହିତପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ଓ ସଂସ୍କୃତି ସଚିବଙ୍କୁ ସଂସଦ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ପୁରାତନ ଛାତ୍ରୀ ସଂସଦର ସଭାନେତ୍ରୀ ପ୍ରଫେସର ‌ଗୋପା ଦାସ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଫେସର ଦାସଙ୍କ ସହିତ ସଂସଦର ସଂପାଦିକା ପୁଷ୍ପା ସାମଲ, ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରୋସନାରା ବେଗମ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର