କନିଷ୍ଠ କିରାଣୀଙ୍କୁ ୨ବର୍ଷ ଜେଲ୍‌

କଟକ : ବୌଦ୍ଧ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ ସୁମନ ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୭ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି। ୨୦୧୩ ମସିହାରେ ସୁମନ ଫୁଲବାଣୀ ଡିଆଇ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବାବେଳେ କନ୍ଧମାଳ ଖଜୁରିପଡ଼ା ବ୍ଲକ୍‌ର ଅଡ଼ସିପଡ଼ା ବିଦ୍ୟାଳୟର ଶିକ୍ଷକ ଅର୍ଜୁନ ଡିଗଲଙ୍କଠୁ ୩ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏ ସଂକ୍ରାନ୍ତରେ ମାମାଲା ରୁଜୁ ହେବା ସହ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୁମନଙ୍କୁ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁଯାୟୀ ବର୍ଷେ ଜେଲ୍‌ ଓ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହିତ ଆଇନ୍‌ର ଧାରା ୧୩(୨), ୧୩(୧) (ଡି) ଅନୁଯାୟୀ ୨ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ୟୁନିଟ୍‌ର ଡିଏସ୍‌ପି ଅରୁଣ କୁମାର ନାୟକ ମାମଲାର ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପି.ପି. ସୁରେଶ କୁମାର ମହାପାତ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର