ପୁରୀଘାଟରେ ଲୁଟିଛି ୧୦ ଲକ୍ଷ, କମିସନରେଟ୍‌ରେ ‘ଭୂତ’ ପାଇଁ ଭାଳେଣି, ହଡ଼ପ୍ କଲାଣି ୫୪ ଲକ୍ଷର ସମ୍ପତ୍ତି

କଟକ: ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ିଥିବା ‘ଭୂତ’ ପାଇଁ କମିସନରେଟ୍ ପୁଲିସରେ ଭାଳେଣି ପଡ଼ିଲାଣି। ‘ଭୂତ’ ଡାକ୍ତର ପୁରୀଘାଟରେ ବି ବ୍ୟାଙ୍କ୍‌ରୁ ଟଙ୍କା ହଡ଼ପ୍ କରିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୦ ଲକ୍ଷ ଟଙ୍କା ହଡ଼ପ୍ କରିଥିବା ଘଟଣା ଏବେ ସାମନାକୁ ଆସିଛି। ପୁରୀଘାଟ ଥାନା ପୁଲିସ ଏହି ମାମଲା ତଦନ୍ତ ଆରମ୍ଭ କରିଥିବା ବେଳେ ଭୂତ ଡାକ୍ତର କମିସନରେଟ୍ ପୁଲିସରେ ଏଭଳି ଏକାଧିକ ବ୍ୟାଙ୍କରେ ଠକେଇ କରିଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୫୪ ଲକ୍ଷ ଟଙ୍କା ବ୍ୟାଙ୍କ ସମ୍ପତ୍ତି ହଡ଼ପ ହୋଇଥିବା ଅଭିଯୋଗ ଆସିଥିବା ବେଳେ କମିସନରେଟ୍ ପୁଲିସରେ ବ୍ୟାଙ୍କ୍‌ ଅଫ ଇଣ୍ଡିଆ ଓ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଏହି ଭୂତ ଡାକ୍ତର ଟାର୍ଗେଟ୍ କରି ଆହୁରି କାର୍ ଋଣ କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୋପାଳପୁର ପାଇକସାହିରର ଶ୍ରୀଧର ରାଉତ ଶହିଦନଗର ଅଞ୍ଚଳର ଏକ କନସଲଟାନ୍ସି କମ୍ପାନି ମାଧ୍ୟମରେ ୟୁକ୍ରେନ୍‌ରେ ୨୦୧୭ରେ ଡାକ୍ତରୀ ପଢ଼ିଥିବା କହୁଥିବା ବେଳେ ଏହି ଘଟଣା ଆଜି ବି ସନ୍ଦେହରେ। ସହିଦନଗର ଅଞ୍ଚଳର ଯେଉଁ କନସଲଟାନ୍ସ କମ୍ପାନି ମାଧ୍ୟମରେ ଶ୍ରୀଧର ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ିଥିଲା, ପୁଲିସ ଏବେ ସେଇ କମ୍ପାନିରୁ ଶ୍ରୀଧର ଡାକ୍ତରୀ ଆଡମିସନ ସଂକ୍ରାନ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଯାଞ୍ଚ ଆରମ୍ଭ କରିଦେଇଛି। ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯେମିତିକି ଯୁକ୍ତଦୁଇ ବିଜ୍ଞାନ ପ୍ରମାଣପତ୍ରକୁ ପୁଲିସ ଅନୁଧ୍ୟାନ କରୁଛି। ପ୍ରକୃତରେ ଏହି ପ୍ରମାଣ ଅସଲି କି ନକଲି ସେ ନେଇ ଯାଞ୍ଚ ଚାଲିଛି। ଶ୍ରୀଧର ଯୁକ୍ତଦୁଇ ଉତ୍ତରପ୍ରଦେଶର ଏକ କଲେଜରେ ପଢ଼ିଥିବା କହୁଥିବାରୁ ପୁଲିସର ସନ୍ଦେହ ବଢ଼ିଯାଇଛି। ଏଭଳି ପରିସ୍ଥିତି ଭିତରେ ପୁରୀଘାଟ ଥାନାରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଠକେଇ ଅଭିଯୋଗ ଆସିବା ପରେ ପୁଲିସ ତନାଘନା ଆରମ୍ଭ କରିଦେଇଛି।

ଡାକ୍ତରୀ ଛାଡ଼ି ୟୁକ୍ରେନ୍‌ରୁ ଶ୍ରୀଧର ଫେରିଆସିବା ପରେ ଡାକ୍ତରୀ ପରିଚୟପତ୍ର, ସାଲାରି ସ୍ଲିପ୍‌ ପ୍ରସ୍ତୁତ କରି ଋଣରେ ଗାଡ଼ି କିଣିବାକୁ ନିଶା ଘାରିଥିଲା। ୨୦୧୯ ଡିସେମ୍ବର ୧ ତାରିଖରେ ନୟାପଲ୍ଲୀ ଥାନାରେ ପୁଲିସ ତା’ ବିରୋଧରେ ପ୍ରଥମେ ଏକ ଋଣ ଠକେଇ ମାମଲା ରୁଜୁ କରିଥିଲା। ଭୁବନେଶ୍ବର ଏମ୍‌ସ ଡାକ୍ତର ପରିଚୟରେ ନୟାପଲ୍ଲୀ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୧୭ ଲକ୍ଷ ୫୦ ହଜାର ଟଙ୍କାର ଋଣ ଠକେଇ କରିଥିଲା। ୨୦୨୦ ଜାନୁଆରି ୩ ତାରିଖରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଦୁଇମାସ ରହି ଫେରିବା ପରେ ପୁଣି ଠକେଇ ଆରମ୍ଭ କରିଦେଇଥିଲା। ଜେଲ୍‌ରେ ଥିବା ସମୟରେ ପୁଲିସ ଋଣ ଟଙ୍କାରେ ଶ୍ରୀଧର କିଣିଥିବା କିଆ ସେଲଟସ୍ ଗାଡ଼ିକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜିମା ଦେଇଥିଲା। ଚଳିତବର୍ଷ ଜୁନରେ ବଜ୍ରକବାଟି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧୬ ଲକ୍ଷ ୫୦ ହଜାର ଟଙ୍କାର ଏକ କାର୍ ଋଣ ନେଇଥିଲା। ବିହାର ପାଟ୍‌ନାର ଏମ୍‌ସ ସର୍ଜରି ଡାକ୍ତର ଭାବେ ପରିଚୟ ଦେଇଥିଲା। ୟୁନିଅନ୍ ବ୍ୟାଙ୍କରୁ ଋଣ ନେବାର ଏକ ସପ୍ତାହ ପରେ ରାଣୀହାଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧୦ ଲକ୍ଷ ଟଙ୍କାର କାର୍ ଋଣ ଆଣିଥିଲା। ଏହାପରେ ସେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କଲେଜ ଛକ ଶାଖା, ଚାଉଳିଆଗଞ୍ଜ ଶାଖା, ମଧୁପାଟଣା ଶାଖା, ଚୌଧୁରୀବଜାର ଶାଖା, ଭୁବନେଶ୍ବର ବୁଦ୍ଧେଶ୍ବର କଲୋନି ଶାଖା, ବରମୁଣ୍ଡା ଶାଖାରୁ ୧୦ଲକ୍ଷ ଟଙ୍କା ଲେଖାଏ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିଥିଲା। ଏହାସହିତ ପୁରୀଘାଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ବି ୧୦ଲକ୍ଷ ଟଙ୍କା ଋଣ ଆକାରରେ ଆଣିଥିବା ଘଟଣା ସାମ୍‌ନାକୁ ଆସିବା ପରେ ଚର୍ଚ୍ଚା ସୃଷ୍ଟି କରିଛି। ଶ୍ରୀଧର ମୁଖ୍ୟତଃ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଟାର୍ଗେଟ୍ କରୁଥିବା କୁହାଯାଉଛି। ସବୁ ବ୍ୟାଙ୍କରେ ନିଜକୁ ଏମ୍‌ସ ଡାକ୍ତର ପରିଚୟ ଦେଇ ଋଣ ଉଠାଣ କରିଥିବାରୁ ଏବେ କମିସନରେଟ୍ ପୁଲିସରେ ଏକାଧିକ ବ୍ୟାଙ୍କରେ ଭାଳେଣି ପଡ଼ିଗଲାଣି। ତେବେ ଡାକ୍ତର ପରିଚୟରେ ଯେଉଁ ବ୍ୟକ୍ତି ଋଣ ନେଇଛନ୍ତି, ସେମାନଙ୍କୁ ପୁଲିସ ସ୍କାନର୍‌ରେ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର