ସମସ୍ୟା ଘେରରେ ୪୯ନମ୍ବର ୱାର୍ଡର ଶ୍ରୀରାମ କଲୋନି: ରାସ୍ତାରୁ ବର୍ଜ୍ୟଜଳ ହଟୁନି, ପାନୀୟଜଳ ମିଳୁନି

ଜଗତପୁର: ଜଗତପୁର ୪୯ ନଂ-ୱାର୍ଡ ଅନ୍ତର୍ଗତ ଇମାମନଗର ମୌଜାରେ ଗତ ୧୫ବର୍ଷ ତଳୁ ଗଢ଼ି ଉଠିଥିବା ଶ୍ରୀରାମ କଲୋନିରେ ୮୦ରୁ ଅଧିକ ପରିବାର ବସବାସ କରନ୍ତି। ତେବେ, ଏଠାରେ ରାସ୍ତା, ପାଣି ଓ ବିଜୁଳି ‌ଭଳି ମୌଳିକ ସମସ୍ୟାର ସମାଧାନ ହୋଇ ନ ଥିବାରୁ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଲୋକମାନଙ୍କ ଆପତ୍ତି ଅଭିଯୋଗକୁ ନେଇ ବିଧାୟକ ଓ ପୂର୍ବତନ ବିଧାୟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ କହିବା ପରେ ବି କିଛି ପରିବର୍ତ୍ତନ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।
ଏହି କଲୋନିରେ ଗୋଟିଏ ମୁଖ୍ୟରାସ୍ତା ଥିବାବେଳେ ୪ ଗୋଟି ଶାଖାରାସ୍ତା ରହିଛି। ମୁଖ୍ୟରାସ୍ତାର ଅଧା ଅଂଶ ପକ୍କା ହୋଇଛି ଓ ବାକି ଅଂଶ କଚ୍ଚା। ୪ଗୋଟି ଶାଖାରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ। ବର୍ଷାଦିରେ ଏହି ଶାଖାରାସ୍ତାଗୁଡ଼ିକରେ ବର୍ଷlପାଣି ଜମି ରହି ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଛି। ସେହିପରି, କଲୋନି ମଧ୍ୟରୁ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ନ ଥିବାରୁ ସାମାନ୍ୟ ବର୍ଷl ହେଲେ ରାସ୍ତା ଉପରେ ପୁଣି ସୁଅ ଛୁଟୁଛି ଓ ବାଡ଼ି-ବଗିଚା ସମେତ କେତେକଙ୍କ ଘରେ ପାଣି ପଶୁଛି। ପାଣି ଜମି ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ଦେଖାଦେଉଛି। କଲୋନିରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ବିଛା ହୋଇଛି। ହେଲେ, ଘରଗୁଡ଼ିକୁ ପାନୀୟଜଳ ଯୋଗାଣ ହୋଇ ପାରି ନାହିଁ। ଫଳରେ ବାସିନ୍ଦାମାନେ ସ୍ୱଚ୍ଛ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେପଟେ, ପ୍ରଦୂଷଣ ଏହି ଅଞ୍ଚଳର ଅନ୍ୟତମ ସମସ୍ୟା ପାଲଟିଛି। କଲୋନିକୁ ଲାଗି ରହିଥିବା ବୃହତ ଜଳାଶୟ ମାଧବାନନ୍ଦ ପୋଖରୀର ପୁନରୁଦ୍ଧାର ଓ ଉନ୍ନତୀକରଣ ପାଇଁ ସିଏମ୍‌ସି କମିସନରଙ୍କ ଦ୍ୱାରା ଦୁଇବର୍ଷ ତଳୁ ଶିଳାନ୍ୟାସ କରାଯାଇଥି‌ଲେ ବି ଏଯାବତ୍‌ ଉନ୍ନୟନ ମଧ୍ୟ ଆରମ୍ଭ ହୋଇ ନାହିଁ l ଜଗତପୁର ଶିଳ୍ପାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ଓ ବର୍ଷାଜଳ ପ୍ରବାହିତ ହୋଇ ଏହି ପୋଖରୀ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।

ଉପରୋକ୍ତ ସମସ୍ତ ସମସ୍ୟା ନେଇ ଲୋକମାନେ ବହୁବାର ଅଭିଯୋଗ କରିବା ପରେ ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସେମାନଙ୍କ ପାଖରେ ପହଞ୍ଚି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ, ତାହା କେବଳରେ ‘ଫୋନ୍‌ ପ୍ରତିଶ୍ରୁତି’ରେ ସୀମିତ ରହିଯାଇଛି। ସିଏମ୍‌ସି କମିସନର ଅନନ୍ୟା ଦାସ ଏକାଧିକବାର ଏହି ଅଞ୍ଚଳ ଗସ୍ତ କରିବାବେଳେ ବି ସ୍ଥାନୀୟ ବାସିନ୍ଦା ତାଙ୍କୁ ସାକ୍ଷାତ କରି ଆପତ୍ତି ଅଭିଯୋଗ କରିଛନ୍ତି। ଆସନ୍ତା ଦଶହରା ପୂର୍ବରୁ ସିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ପଦ‌କ୍ଷେପ ଗ୍ରହଣ ନକଲେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶିବଚରଣ ଲେଙ୍କା, ସ୍ଵପ୍ନେଶ୍ଵର ଦାସ, ଅଶୋକ ସାହୁ, ଅଶୋକ ସାମଲ, ଅକ୍ଷୟ ସାମଲ, ରବିନାରାୟଣ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ନିତ୍ୟାନନ୍ଦ ସାହୁ, କୃପାସିନ୍ଧୁ ନାୟକ, ରାଧେଶ୍ୟାମ ପଣ୍ଡା, ଆର୍‌.କେ. ମହାପାତ୍ର, ଧନଞ୍ଜୟ ପିଲେ ଏବଂ ନବକିଶୋର ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର